ରାଜ୍ୟରେ ଆଜି ପୁଣି ନୂଆ ୩ କରୋନା ପଜିଟିଭ ଚିହ୍ନଟ: ସମସ୍ତ ଆକ୍ରାନ୍ତ ଭଦ୍ରକର…ନୂଆ-ପୁରୁଣାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି

୮୨ରେ ପଂହଚିଲା ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା: ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୩୦

1,631

କନକ ବ୍ୟୁରୋ: ନମୂନା ପରୀକ୍ଷଣ ବୃଦ୍ଧି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ରାଜ୍ୟରେ କରୋନା ପରୀକ୍ଷଣ ବୃଦ୍ଧି ପାଇଥିବା ବେଳେ ଗତ ତିନି ଦିନ ହେବ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଚିନ୍ତାଜନକ ବିଷୟ ହେଉଛି ଗତ ୩ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତଙ୍କ ସଂଖ୍ୟା ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାରୁ ଠାବ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭଦ୍ରକ । ଭଦ୍ରକ ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ତାଜା ସୂଚନା ଅନୁସାରେ, ଆଜି ରାଜ୍ୟରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୮୨କୁ ବୃଦ୍ଧି ହୋଇଛି । ତେବେ ନୂଆ ଚିହ୍ନଟ ହୋଇଥିବା ଏହି ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ବୋଲି ଜଣାପଡିଛି । ଏହି ୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧ କୁ ବୃଦ୍ଧି ହୋଇଛି । ଏହି ୩ ଆକ୍ରାନ୍ତଙ୍କ ଗସ୍ତ ଇତିହାସ ନେଇ ତଦନ୍ତ ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୭୭୫ ଟି ନମୂନା ପରୀକ୍ଷା ହୋଇଛି । ଏହା ମଧ୍ୟରେ ରାପିଡ ଆଂଟିବଡି ଟେଷ୍ଟ ରହିଛି ୪ ହଜାର ୯୭୫ଟି । ଏହା ମଧ୍ୟରୁ ୮୨ଟି ନମୂନା କରୋନା ପଜିଟିଭ୍ ଆସିଛି । ସେହିଭଳି ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩୦ରେ ପହଁଚିଛି । ବର୍ତମାନ ରାଜ୍ୟରେ ବିଭିନ୍ନ ଡାକ୍ତରଖାନାରେ ୫୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେପଟେ, ରାଜ୍ୟର ୩ଟି ଜିଲ୍ଲା ପାଇଁ ରାପିଡ୍ ରେସପନସ୍ ଟିମ୍ ଗଠନ ହୋଇଛି । ବାଲେଶ୍ୱର ଭଦ୍ରକ ଓ ଯାଜପୁର ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି  ହେବା ପରେ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସକ୍ରିୟ ହୋଇପଡିଛି । ଏହି ନୂଆ ଆକ୍ରାନ୍ତ ସବୁ ଗ୍ରାମାଂଚଳରୁ ବାହାରି ଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ଏହାର ଅଧିକ ତଦନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ଅଜିତ ମହାନ୍ତିଙ୍କ ନେତ୍ୃତ୍ୱରେ ଏକ ଟିମ୍ ଭଦ୍ରକ ଗସ୍ତ କରିଛନ୍ତି ।