ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା । ଭୟଙ୍କର ଭାଇରସ ସଂକ୍ରମଣରେ ୬୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ।

1,594

କନକ ବ୍ୟୁରୋ : ଭାରତରେ ଆଉ ଜଣେ କରୋନା ରୋଗୀଙ୍କର ମୃତ୍ୟୁ । ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ମେଡିକାଲରେ ଚିକିତ୍ସାଧିନ ଥିବା ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପଶ୍ଚିମ ଦିଲ୍ଲୀ ଜନକପୁରୀ ଅଂଚଳର ଏହି ୬୯ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ସ୍ୱାବରେ କରୋନା ଭୂତାଣୁ ଥିବା ମଧ୍ୟ ପରୀକ୍ଷାରୁ ଜଣାପଡିଥିଲା । ଆଜି ସେହି ବୃଦ୍ଧାଙ୍କର ମୃତ୍ୟୁ ଘଟିଛି ।

ଦିଲ୍ଲୀରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତକାଲି କର୍ଣ୍ଣାଟକ କାଲବର୍ଗା ଅଂଚଳର ୭୬ ବର୍ଷିୟ ବୃଦ୍ଧଙ୍କ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ଘଟିଥିଲା । ଏବଂ ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗର କମିଶନର ଏହା ସ୍ପଷ୍ଟ କରିଥିଲେ । ଏପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ରେ ପହଁଚିଛି । ଏହାସହ ଏୟାର ଇଣ୍ଡିଆ କୁଏତ ଓ ଇଟାଲିକୁ ବିମାନ ଚଳାଚଳ ବାତିଲ କରିଛି ।

ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ ଓ ଶ୍ରୀଲଙ୍କାକୁ ଏପ୍ରିଲ ୩୦ ଯାଏଁ ବିମାନ ଚଳାଚଳକୁ ବନ୍ଦ ଘୋଷଣା କରିଛି ଏୟାର ଇଣ୍ଡିଆ । ଅନ୍ୟପଟେ ୟୁରୋପ ଏବେ ବିଶ୍ୱ ମହାମାରୀର କେନ୍ଦ୍ର ସାଜିଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପଟେ ଆଜି ଓଡିଶା ସରକାର ହଠାତ୍ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ଭୁତାଣୁ ଜନିତ ରୋଗର ମୁକାବିଲା ପାଇଁ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ ଯାଏ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିି । କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯିବ ।

ସେହିପରି ସିନେମା ହଲ, ଜିମ୍, ଓ ସୁଇମିଂ ପୁଲ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ବହୁ ଲୋକ ଏକାଠି ହେଉଥିବା ଧାର୍ମିକ ଉତ୍ସବ, ବାହାଘର ଭୋଜି ଓ ସାମାଜିକ କାଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତିି । ଆଜି ସକାଳେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ, ବିଶ୍ୱରେ ଏମିତି କମ୍ ସମୟ ଆସେ ଯେତେବେଳେ ସାରା ମାନବ ଜାତି ଏମିତି ବିପଦର ସାମ୍ନା କରେ, ଯାହାକୁ ସେ ଠିକ ସେ ବୁଝି ନଥାଏ ।