ହସଖେଳର ପରିବାରକୁ ବରବାଦ୍ କରିଦେଲା କରୋନା : କରୋନା ସଂକ୍ରମିତ ମୃତ ମା’ର ଜୁଇକୁ କାନ୍ଧ ଦେବାକୁ ଯାଇ ସଂକ୍ରମିତ ହେଲେ ୬ ପୁଅ , ୫ ପୁଅଙ୍କୁ କାଳର କୋଳକୁ ଟାଣିନେଲା କରୋନା , ଜୀବନ-ମୃତ୍ୟୁ ସହ ଲଢେଇ କରୁଛି ୬ଷ୍ଠ ପୁଅ

3,219

ସମ୍ପୁର୍ଣ୍ଣ ବିଶ୍ୱର ସନ୍ତୁଳନକୁ ବିଗାଡ଼ିଦେଇଛି କରୋନା । ଦେଶରେ ବି କରୋନାରେ ଅନେକ ଲୋକଙ୍କ ଜୀବନ ଗଲାଣି । ହେଲେ ଝାରଖଣ୍ଡର ଏକ ଖବର ଏବେ ସାରା ଦେଶର ଛାତିକୁ ଦୋହଲାଇଦେଇଛି । ହସଖେଳର ଏକ ପରିବାରରେ ମୃତ୍ୟୁର ତାଣ୍ଡବ ଖେଳାଇଦେଇଛି କରୋନା । ସଂକ୍ରମଣ କାରଣରୁ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲିଗଲାଣି । ପ୍ରଥମେ ମା’ ଆଉ ତା’ପରେ ମା’ର ଜୁଇକୁ କାନ୍ଧ ଦେଇଥିବା ୫ ପୁଅ । ୧୫ ଦିନ ଭିତରେ କାଳର କୋଳକୁ ଚାଲିଗଲା ୬ ଜୀବନ । ମୃତ ମହିଳାଙ୍କ ଆଉ ଜଣେ ପୁଅ କରୋନା ସଂକ୍ରମିତ ହୋଇ ଏବେ ଜୀବନ ସହ ଯୁଦ୍ଧ କରୁଛନ୍ତି ।

 

ଝାରଖଣ୍ଡ ଧନବାଦର କତରାସ୍ ଅଞ୍ଚଳରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ମୃତ୍ୟୁର ଆରମ୍ଭ ପ୍ରଥମେ ୮୮ ବର୍ଷୀୟା ମା’ଙ୍କ ଠାରୁ ହୋଇଥିଲା । କୋଭିଡ଼୍ ପଜିଟିଭ୍ ସଂକ୍ରମିତା ମା’ଙ୍କ ମୃତ୍ୟୁର ପରେ ପରେ ରାଞ୍ଚୀ ରିମ୍ସ କୋଭିଡ଼୍ ହସ୍ପିଟାଲରେ ଜଣେ ପୁଅଙ୍କ ଜୀବନ ଗଲା । ଏହାପରେ କେନ୍ଦ୍ରୀୟ ହସ୍ପିଟାଲରେ ଆଉଜଣଙ୍କ ଜୀବନ ନେଲା କରୋନା । ତୃତୀୟ ପୁଅର ମୃତ୍ୟୁ ଧନବାଦର ଏକ ବେସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଘଟିଲା । ଜୁଲାଇ ୧୬ ରେ ପରିବାରର ଚତୁର୍ଥ ପୁଅକୁ କାଳର କୋଳକୁ ଟାଣିନେଲା କରୋନା । ଶେଷରେ ସୋମବାର ଧନବାଦ୍ କୋଭିଡ଼୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଞ୍ଚମ ପୁଅ ବି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଜଣେ ବୃଦ୍ଧା ମହିଳା ଏବଂ ତାଙ୍କର ୫ ଭେଣ୍ଡିଆ ପୁଅର ଜୀବନକୁ ଏମିତି ନେଇଗଲା କରୋନା । ପରିବାରର ଅନ୍ୟ ସଦସ୍ୟଙ୍କର ଏବେ ଚିକିତ୍ସା ଚାଲିଛି । ଯେ କେହିବି ଏ ଘଟଣାକୁ ଶୁଣୁଛନ୍ତି ମୁଣ୍ଡରେ ହାତ ଦେଇ ବସୁଛନ୍ତି । ୧୫ ଦିନ ଭିତରେ ହସଖେଳର ସଂସାରକୁ ବରବାଦ୍ କରିଦେଲା କରୋନା । କୁହାଯାଉଛି ବୃଦ୍ଧା ମହିଳା ଏକ ବିବାହ ସମାରୋହରେ ସାମିଲ୍ ହୋଇଥିଲେ ଯେଉଁଠାରୁ ଫେରିବା ପରେ ତାଙ୍କ ଦେହ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ କରୋନା କାରଣରୁ ତାଙ୍କ ମୃତ୍ୟୁ ହୋଇଗଲା । ମା’ଙ୍କ ଜୁଇକୁ କାନ୍ଧ ଦେବାକୁ ଯାଇ ୬ ପୁଅଙ୍କୁ ମଧ୍ୟ କରୋନା ହୋଇଗଲା । ଏବେ ଷଷ୍ଠ ପୁଅ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।