କନକ ବ୍ୟୁରୋ : ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚାଇଛି । ଏହି କାରଣରୁ କୋଟି କୋଟି ଲୋକ ନିଜର ରୋଜଗାର ହରାଇସାରିଛନ୍ତି । ସେହିଭଳି କୋଟି କୋଟି ପରିବାର ରୋଜଗାର ହରାଇବା ସହ ନିଜ ସଂଚୟ ବି ଖର୍ଚ୍ଚ କରିସାରିଛନ୍ତି । ସେପଟେ ନିଜେ କିମ୍ବା ନିଜ ପରିବାର ଲୋକଙ୍କ ଚିକିତ୍ସା ପାଇଁ ମଧ୍ୟ ଧାର କରଜ କରି ବୁଡି ଯାଇଛନ୍ତି । ସେପଟେ ବିଶ୍ୱର କିଛି ନିର୍ଦ୍ଧିଷ୍ଟ ପରିମାଣର ଲୋକ ଏହି କୋଭିଡ ମହାମାରୀରୁ ଫାଇଦା ଉଠାଇ କୋଟିପତି ହେବାରେ ଲାଗିଛନ୍ତି । କୁହାଯାଉଛି କି କରୋନା ମହାମାରୀର ୨ ବର୍ଷ ମଧ୍ୟରେ ପୁଞ୍ଜିପତିମାନେ ଏତେ ରୋଜଗାର କରିଛନ୍ତି କି ଯାହା ସେମାନେ ବିଗତ ୨୩ ବର୍ଷ ମଧ୍ୟରେ କରିପାରି ନଥିଲେ ।

Advertisment

ଅକ୍ସଫମ ଇଣ୍ଟରନ୍ୟାସନାଲର ରିପୋର୍ଟ ମୁତାବକ ପୁଞ୍ଜିପତିମାନେ ୨ ବର୍ଷ କରୋନା ମହାମାରୀ ବେଳେ ଯେତେ ଅର୍ଥ ରୋଜଗାର କରିପାରିଛନ୍ତି ତାହା ସେମାନେ ବିଗତ ୨୩ ବର୍ଷ ମଧ୍ୟରେ କରିପାରି ନଥିଲେ । ଅକ୍ସଫମର ରିପୋର୍ଟ ମୁତାବକ ଏବେ ବିଶ୍ୱରେ ୨,୬୬୮ ଜଣ ଆରବପତି ରହିଛନ୍ତି । ଏମାନେ ମୋଟ ୧୨.୭ ଟ୍ରିିଲିୟନ ଡଲାର ବା ୯୮୪,୯୫ ଲକ୍ଷ କୋଟି ଟଙ୍କାର ମାଲିକ । ସେମାନଙ୍କ ପାଖରେ ଥିବା ମୋଟ ସମ୍ପତ୍ତି ବିଶ୍ୱ ଜିଡିପିର ୧୪ ପ୍ରତିଶତ ବୋଲି କୁହାଯାଇଛି ।

ସେପଟେ ଅକ୍ସଫମ ରିପୋର୍ଟ କହିଛି ଯେ କରୋନା ମହାମାରୀ କାରଣରୁ ବିଶ୍ୱର ୯୯ ପ୍ରତିଶତ ଲୋକଙ୍କର ରୋଜଗାର କମିଛି । କେବଳ ୨୦୨୧ ରେ ୧୨.୫ କୋଟି ଲୋକ ଚାକିରି ହରାଇଛନ୍ତି । ହେଲେ ମହାମାରୀ ପୂର୍ବରୁ ବାର୍ଷିକ ହାରାହାରି ୬.୭ ପ୍ରତିଶତ ଲୋକଙ୍କର ରୋଜଗାର କମୁଥିଲା । ସେପଟେ ମହାମାରୀ ବେଳେ ଔଷଧ ବ୍ୟବସାୟ ସହିତ ଜଡିତ ୪୦ ପ୍ରତିଶତ ଲୋକ ଆରବପତି ହୋଇଛନ୍ତି । ମଡର୍ଣ୍ଣା ଓ ଫାଇଜର ଭଳି କମ୍ପାନୀ ପ୍ରତି ସେକେଣ୍ଡରେ ୭୭,୫୫୫ ଟଙ୍କା ରୋଜଗାର କରିଛନ୍ତି । ରିପୋର୍ଟ ମୁତାବକ ଫାର୍ମା କମ୍ପାନୀଙ୍କ ଉତ୍ପାଦନ କୋଭିଡ ମହାମାରୀ ସମୟରେ ୨୪ ଗୁଣା ବୃଦ୍ଧି ପାଇଛି । ଏହିସବୁକୁ ହିସାବକୁ ନେଇ ଅକ୍ସଫମ ତାର ରିପୋର୍ଟରେ କହିଛି କି କରୋନା ମହାମାରୀ ବେଳେ ପ୍ରତି ୩୦ ଘଂଟାରେ ଜଣେ ଆରବପତି ହୋଇପାରୁଥିବା ବେଳେ ପ୍ରତି ୩୩ ଘଂଟାରେ ବିଶ୍ୱରେ ୧୦ ଲକ୍ଷ ଲୋକ ଗରିବ ସୀମାରେଖା ତଳକୁ ଖସି ଆସିଛନ୍ତି ।