ମହାମାରୀ ସାମ୍ନାରେ ମହାନଗରୀ ‘ସମର୍ପଣ’? ଦେଶର ଦୁଇ ମହାନଗରୀରେ ମହାସଂକଟ…ଦିଲ୍ଲୀ ଓ ମୁମ୍ବାଇରେ ଉତ୍କଟ ହେଉଛି କରୋନା ସମସ୍ୟା: ୨ ସହରରେ ଦେଶର ପ୍ରାୟ ୩୩ % ମାମଲା

ଭାରତରେ ୩ ଲକ୍ଷ ଟପିଲା ସଂକ୍ରମଣ

264

କନକ ବ୍ୟୁରୋ: ଦେଶରେ ୩ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୧୧ ହଜାର ୪୫୮ ନୂଆ ସଂକ୍ରମିତ । ଯାହା ଆଜି ଯାଏଁ ୨୪ଘଂଟାରେ ଚିହ୍ନଟ ହୋଇଥିବା ସର୍ବାଧିକ ଆକ୍ରାନ୍ତ । ଏହାସହ ଏହି ସମୟ ଭିତରେ ୩୮୬ଜଣଙ୍କର  ମୃତ୍ୟୁ ହୋଇଛି । ସେପଟେ ବରିଷ୍ଠ ସାମ୍ବାଦିକ ବରଖା ଦତ ଏକ ସ୍ତମ୍ବ ଲେଖିଛନ୍ତି ଯେଉଁଥଇରେ ସେ ଉଲ୍ଲେଖ କରିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ଆଗକୁ ସ୍ଥିତି ଆହୁରି ସଂକଟାପନ୍ନ ହୋଇପାରେ । ଦେଶରେ ଗତ ୨୪ ଘଂଟାରେ କରୋନା ଭୁତାଣୁର ସଂକ୍ରମଣ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଗୋଟିଏ ଦିନରେ ୧୧ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ୩ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୧ ହଜାର ୪୫୮ ନୂଆ ମାମଲା ଚିହ୍ନଟ ହୋଇଛି । ସେହିଭଳି ୩୮୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏହି ସମୟ ଭିତରେ । ତେବେ ସବୁଠାରୁ ବଡ କଥା ହେଉଛି ଗତ ୧୦ଦିନ ମଧ୍ୟରେ ଦେଶରେ ୧ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ନଜର ପକାନ୍ତୁ ଗତ ୧୦ଦିନର ତଥ୍ୟ ଉପରେ

ତାରିଖ ନୂଆ ଆକ୍ରାନ୍ତ

ଜୁନ୍ ୪ ୯,୩୦୪

ଜୁନ୍ ୫ ୯,୮୫୧

ଜୁନ୍ ୬ ୯, ୮୮୭

ଜୁନ୍ ୭ ୯,୯୭୧

ଜୁନ୍ ୮ ୯,୯୮୩

ଜୁନ୍ ୯ ୯,୯୮୭

ଜୁନ୍ ୧୦ ୯,୯୮୫

ଜୁନ୍ ୧୧ ୯,୯୯୬

ଜୁନ୍ ୧୨ ୧୦,୯୫୬

ଜୁନ୍ ୧୩ ୧୧, ୪୫୮

ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୯୯୩ରେ ପହଂଚିଛି ।  ତେବେ ଭାରତର ଦୁଇ ପ୍ରମୁଖ ମହାନଗର ମୁମ୍ବାଇ ଓ ଦିଲ୍ଲୀରେ କରୋନା ସଂକ୍ରମଣ ଉକ୍ରଟ ରୂପ ଧାରଣ କରିଛି । ୯୬ ଦିନରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଥିବାବେଳେ କେବଳ ମୁମ୍ବାଇରେ ୫୫ ହଜାର ୪ ଶହ ୪୧ ରୋଗୀ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି, ସମଗ୍ର ମହାରାଷ୍ଟ୍ରର ୫୫ ପ୍ରତିଶତ ରୋଗୀ କେବଳ ମୁମ୍ବାଇ ମହନଗରରୁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ବର୍ତମାନ ସୁଦ୍ଧା ୨ ହଜାର ୪୪ ଜଣଙ୍କର ମୃତ୍ୟୁ ହୋଇଛି ।

ଦିଲ୍ଲୀରେ ଗୋଟିଏ ଦିନରେ ୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ଦିଲ୍ଲୀରେ ୩୬ ହଜାର ୮୨୪ କରୋନା ପଜିଟିଭ୍ ଥିବାବେଳେ ୧୨ଶହ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ମୋଟ ଆକ୍ରାନ୍ତ ସଂଖ୍ୟା ୩ଲକ୍ଷ ଟପିଥିବାବେଳେ କେବଳ ମୁମ୍ବାଇ ଓ ଦିଲ୍ଲୀ ମହାନଗରରୁ ପ୍ରାୟ ୩୩ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତିି । ବଡ କଥା ହେଉଛି କିଛି ଦିନ ତଳେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ସାଢେ ୫ ଲକ୍ଷ ଟପିଯିବ । ସେତେବେଳେ ଦିଲ୍ଲୀରେ ଅତିକମରେ ୮୦ ହଜାର କୋଭିଡ୍ ବେଡର ଆବଶ୍ୟକତା ପଡିବ ବୋଲି ସେ କହିଥିଲେ ।

ଆଉ ଏହାରି ଭିତରେ ବରିଷ୍ଠ ସାମ୍ବାଦିକ ବରଖା ଦତ ଏକ ସ୍ତମ୍ବ ଲେଖିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ଆଗକୁ ସ୍ଥିତି ଆହୁରି ସଂକଟଜନକ ହୋଇପାରେ । ଦିଲ୍ଲୀ ଓ ମୁମ୍ବାଇରେ ରୋଗୀଙ୍କ ପାଇଁ ବେଡ ନଥିବା ମିଥ୍ୟା ତଥ୍ୟ ଦିଆଯାଇଛି । ସୂଚନା ଅନୁସାରେ ମୁମ୍ବାଇର ଘରୋଇ ଡାକ୍ତରଖାନାରେ ୨୦ହଜାର ବେଡ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ପ୍ରାୟ ୫ ହଜାର ବେଡ୍ ରହିଛି । ଆକଳନ ଅନୁସାରେ ମୁମ୍ବାଇ ପାଇଁ ଅତିକମରେ ୧୨ ଶହ ୫୦ ଆଇସିୟୁର ଆବଶ୍ୟକତା ପଡିପାରେ । ବାସ୍ତବରୂପରେ ଏଠାରେ ଶଯ୍ୟାର ଅଭାବ ନାହିଁ ବରଂ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କର ଅଭାବ ପରିଲକ୍ଷିତ ହୋଇଛି ।