ଚାକିରିଆଙ୍କ ଉପରେ କରୋନା ଚଡକ: ତାଲାବନ୍ଦ ଯୋଗୁଁ ସଂକଟରେ ବ୍ୟବସାୟୀ, କର୍ମଚାରୀଙ୍କୁ ଦରମା ଦେବାକୁ କଂପାନୀ ପାଖରେ ଅର୍ଥ ନାହିଁ; କିଏ ଛଟେଇ କରୁଛି ତ ପୁଣି କିଏ କାଟି ଦେଉଛି ଦରମା

3,244

କନକ ବ୍ୟୁରୋ: କରୋନା ସଂକଟ ମଧ୍ୟରେ ଏବେ ଛଟେଇ ଏବଂ ଦରମା କାଟ୍ ଭଳି ଖବର ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଗତ କିଛି ହେଲା ଅନଲାଇନ କ୍ୟାବ ବୁକିଂ ସେବା ଉପଲବ୍ଧ କରୁଥିବା କଂପାନୀ ଓଲା ୧୪ ଶହ କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଓଲାର ପ୍ରତିଦ୍ୱନ୍ଦୀ ଉବର ଇଣ୍ଡିଆ ମଧ୍ୟ ତାର ପାଖାପାଖି ୬ ଶହ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପାଇଁ ନିଷ୍ପଚତି ନେଇଛି ।

ଉବର ଇଣ୍ଡିଆର ଅଧ୍ୟକ୍ଷ ପ୍ରଦୀପ ପରମେଶ୍ୱରନଙ୍କ କହିବା ଅନୁସାରେ, ଆମେରିକୀୟ କଂପାନୀ ଉବର ଟେକ୍ନୋଲୋଜି ହଙ୍କର ଭାରତୀୟ ଶାଖାରେ ଥିବା ୬ ଶହ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀର ବେଶି ପ୍ରଭାବ ବ୍ୟବସାୟ ଉପରେ ପଡିଛି । ଯେଉଁ କାରଣରୁ ବାଧ୍ୟ ହୋଇ କଂପାନୀକୁ ଏଭଳି ନିଷ୍ପତି ନେବାକୁ ପଡିଛି । ଏଠାରେ ଆମେ କହି ରଖୁଛୁ ଯେ, ଆମେରିକୀୟ କଂପାନୀ ଉବର ସାରା ବିଶ୍ୱରେ ୩୭ ଶହ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଆଲୋଚନା କରିଥିଲା । ଯାହାକି ଭାରତରେ ଯେଉଁ କର୍ମଚାରୀମାନଙ୍କର ଛଟେଇ ହୋଇଛି ଏହା ତାର ଏକ ଅଂଶ ।

ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ସର୍ବାଧିକ କ୍ଷତିଗ୍ରସ୍ତ କ୍ଷେତ୍ର ମଧ୍ୟରେ ରହିଛି ଅଟୋମୋବାଇଲ ଉଦ୍ୟୋଗ । ଅଧିକାଂଶ କମ୍ପାନି ଏପ୍ରିଲ ମାସରେ ଗୋଟିଏ ମଧ୍ୟ ଯାନ ବିକ୍ରି କରିନାହାନ୍ତି । ଏହା ଫଳରେ କମ୍ପାନିମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଦେଶର ପ୍ରମୁଖ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣକାରୀ କମ୍ପାନି ଟିଭିଏସ ନିଜ କର୍ମଚାରୀଙ୍କ ଦରମା କାଟ ଲାଗି ନିଷ୍ପତ୍ତି ନେଇଛି । ତେବେ କର୍ମଚାରୀଙ୍କ ପାହ୍ୟା ଅନୁସାରେ ଦରମାକାଟ କରାଯାଇଛି । କନିଷ୍ଠ କର୍ମଚାରୀଙ୍କ ଦରମା ୫ ପ୍ରତିଶତ, ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦରମା ୧୫ରୁ ୨୦ ପ୍ରତିଶତ କଟିବ ।

ପୂର୍ବରୁ ଦେଶର ପ୍ରମୁଖ କମ୍ପାନି ରିଲାଏନ୍ସ ନିଜ କର୍ମଚାରୀଙ୍କ ଦରମା କାଟ ସଂପର୍କରେ ଘୋଷଣା କରିଥିଲା । କମ୍ପାନି ପକ୍ଷରୁ ନିଜର ହାଇଡ୍ରୋକାର୍ବନ ଡିଭିଜନର ବରିଷ୍ଠ ଅଧିକାରୀମାନଙ୍କ ଦରମା କାଟିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ ଅଧିକ ଦରମା ନେଉଥିବା କର୍ମଚାରୀଙ୍କ ଦରମା ୩୦ରୁ ୫୦ପ୍ରତିଶତ ପର୍ୟ୍ୟନ୍ତ କାଟ କରାଯିବ । ଏପରିକି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ମଧ୍ୟ ନିଜର ସମସ୍ତ ଦରମା କାଟ କରିଛନ୍ତି । କିନ୍ତୁ ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ କମ ଦରମା ନେଉଥିବା କର୍ମଚାରୀଙ୍କ ଦରମା କାଟ କରାଯିବ ନାହିଁ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।