କରୋନା ମୁକାବିଲା ପାଇଁ ବଡ ନିଷ୍ପତି। ସୁରକ୍ଷା ଦୃଷ୍ଟିରୁ ଏକମାସ ପାଇଁ ବିଦେଶୀ ରାଷ୍ଟ୍ରସହ ସଂପର୍କ କାଟିଲା ଭାରତ। ଭିସା ପ୍ରଦାନରେ କଟକଣା

ବିଦେଶ ଗସ୍ତ ନକରିବାକୁ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

312

କନକ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁ ଏଚ ଓ କରୋନା ଭୂତାଣୁ ଜନିତ ସଂକ୍ରମଣକୁ ଦେଖି ଏହାକୁ ବିଶ୍ୱ ପାଇଁ ଚିନ୍ତା ଭାବେ ଦର୍ଶାଇବା ସହ ମହାମାରୀ ଭାବେ ଘୋଷଣା କରିଛି । ଚୀନରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭୂତାଣୁ ବିଶ୍ୱର ଶତାଧିକ ଦେଶକୁ ମାଡି ଗଲାଣି । ଏହି ତାଲିକାର ଆଗରେ ରହିଛି ଇଟାଲୀ ଓ ଇରାନ୍ । ସାରା ବିଶ୍ୱରେ ଏବେ ପ୍ରାୟ ୧ ଲକ୍ଷ ୨୬ ହଜାର ୧୦୦ ଜଣ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହା ସହ ପ୍ରଭାବରେ ୪ ହଜାର ଜଣ ଲୋକ ପ୍ରାଣ ହରାଇ ସାରିଲେଣି । ଭାରତରେ ପ୍ରାୟ ୧୫ଶହ ଜଣ ବ୍ୟକ୍ତିଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ଏମାନଙ୍କ ଭିତରେ ୭୪ ଜଣଙ୍କ ଦେହରେ କରୋନା ଭୂତାଣୁ ଥିବା ଜଣାପଡିଛି । କେରଳରେ ସର୍ବାଧିକ ୧୭ ଜଣ ଭାରତୀୟଙ୍କ ଦେହରେ ଏହି ଭୂତାଣୁ ଥିବା ଜଣାପଡିଛି । ଅନ୍ୟପଟେ ହରିଆଣାରେ ସର୍ବାଧିକ ୧୪ ଜଣ ବିଦେଶୀଙ୍କ ନମୂନାରେ କରୋନା ଭାଇରସ ଥିବା ସ୍ପଷ୍ଟ କରାଯାଇଛି ।

ମାରାତ୍ମକ କରୋନା ଭୂତାଣୁର ବ୍ୟାପକ ସଂକ୍ରମଣ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ ଘୋଷଣା ପରେ ମୁକାବିଲା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କରୋନା ଭୂତାଣୁକୁ ମହାମାରୀ ଘୋଷଣା କରିଛନ୍ତି । ୩୧ ମାର୍ଚ୍ଚ ଯାଏ ସମସ୍ତ ସିନେମା ହଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଦିଲ୍ଲୀ, ଉତରାଖଣ୍ଡ, ଛତିଶଗଡରେ ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ସେପଟେ ଆଗାମୀ ମାସେ ପାଇଁ ସମଗ୍ର ବିଶ୍ୱ ସହିତ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି ଭାରତ ସରକାର । ଏପ୍ରିଲ ୧୫ ଯାଏଁ ସମସ୍ତ ଭିସାକୁ ବାତିଲ କରାଯାଇଛି ।

କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ, ମାର୍ଚ୍ଚ ୧୩ରୁ ଏପ୍ରିଲ ୧୫ ଯାଏଁ ସମସ୍ତ ଭିସା ବାତିଲ କରାଯାଇଛି । କୂଟନୈତିକ ଅଧିକାରୀ, ଜାତିସଂଘ କିମ୍ବା ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥା, ନିଯୁକ୍ତି ଓ ସରକାରୀ ପ୍ରକଳ୍ପ ପାଇଁ ଆସୁଥିବା ଅଧିକାରୀଙ୍କୁ ଏଥିରୁ ବାଦ ଦିଆଯାଇଛି । ବିଦେଶରେ ରହୁଥିବା ଭାରତୀୟ କାର୍ଡଧାରୀଙ୍କ ପାଇଁ ଭିସାମୁକ୍ତ ଯାତ୍ରା ଉପରେ କଟକଣା ଲଗାଯାଇଛି । ଭାରତକୁ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକ ଉପଯୁକ୍ତ କାରଣ ଦର୍ଶାଇ ଭାରତୀୟ ଦୂତାବାସକୁ ଆବେଦନ କରିବେ ବୋଲି କୁହାଯାଇଛି । ଫେବ୍ରୁଆରୀ ୧୫ ପରେ ଚୀନ, ଇଟାଲି, ଇରାନ, ଦକ୍ଷିଣ କୋରିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀରୁ ଆସିଥିବା ବିଦେଶୀ ଓ ଭାରତୀୟଙ୍କୁ ୧୪ ଦିନ ନୀରିକ୍ଷଣରେ ରଖାଯିବ ବୋଲି ସରକାର ସୂଚନା ଦେଇଛନ୍ତି ।