କରୋନା ମୁକାବିଲା ନେଇ ନବୀନଙ୍କ ନିବେଦନ । ଏକାଠି ମିଳିମିଶି ମୁକାବିଲା ପାଇଁ ସହଯୋଗ ହାତ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

କହିଲେ, ସମସ୍ତଙ୍କ ସହଯୋଗରେ ମୁକାବିଲା ସମ୍ଭବ

421

କନକ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା ନେଇ ନବୀନଙ୍କ ନିବେଦନ । ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ କିଭଳି ନିଜକୁ ରକ୍ଷା କରିବେ ସେ ନେଇ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କରୋନାକୁ ରୋକିବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି । ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳୀତ ଉଦ୍ୟମର ଆବଶ୍ୟକତା ରହିଛି ଏବଂ ସମସ୍ତଙ୍କ ସହଯୋଗରେ ଓଡିଶା ଏହାର ଉପଯୁକ୍ତ ମୁକାବିଲା କରିବାରେ ସମର୍ଥ ହେବ ବୋଲି କହିଛନ୍ତି ନବୀନ ।

ଏଥିସହିତ ସାମାଜିକ ଜନସମାଗମରେ ଲୋକଙ୍କଠାରୁ ଦୂରେଇ ରହିବା ଦ୍ୱାରା କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସବୁଠାରୁ ଫଳପ୍ରଦ ଉପାୟ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଧାର୍ମିକ ଉତ୍ସବ, ବିବାହ ବ୍ରତ ଆଦି ସାମାଜିକ ଜନସମାଗମଠାରୁ ଦୂରରେ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ନବୀନ । ଘର ଭିତରେ ରହିବା, ଜନଗହଳିକୁ ବର୍ଜନ କରିବା ଓ ଅନ୍ୟମାନଙ୍କ ସହ ମିଳାମିଶାକୁ କମ କରିବା ଦ୍ୱାରା ଏହି ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୌଣସି ଗୁଜବ ତଥା ଉଡା ଖବରକୁ ବିଶ୍ୱାସ ନକରିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ, କରୋନାକୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ ଏବେ ଆରମ୍ଭ ହୋଇଛି ମୁକାବିଲା ପାଇଁ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ସ୍ଥାନରେ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି । ଏହା ମଧ୍ୟରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ୨ ଜଣ କରୋନା ସନ୍ଦିଗ୍ଧ ଭର୍ତି ଥିବା ସୂଚନା ମିଳିଛି । କରୋନାକୁ ନେଇ ରହିଥିବା ସ୍ପେଶାଲ ୱାର୍ଡରେ ଚାଲିଛି ସେମାନଙ୍କର ଚିକିତ୍ସା । କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିବା ଜଣେ ଯୁବତୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଆଗରୁ ଭୁବନେଶ୍ୱରର ଜଣେ ଯୁବକ, ଆୟର୍ଲାଣ୍ଡ ନାଗରିକ ଓ ତାଙ୍କ ସହ ଯୋଗୀଙ୍କ ରିପୋର୍ଟ ବି ନେଗେଟିଭ୍ ଆସିଥିଲା ।
ସେହିଭଳି କଟକ ବଡ ମେଡିକାଲରେ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ଚାଲିଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା । ଏସସିବିରେ ଏବେ ୨ ଜଣ ସନ୍ଦିଗ୍ଧଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । କରୋନା ମୁକାବିଲା ପାଇଁ ଏସସିବି ମେଡିକାଲରେ ସ୍ପେଶାଲ ୱାର୍ଡ ସହିତ ସ୍ପେଶାଲ ଡକ୍ଟର ଟିମ୍ ମଧ୍ୟ ଗଠନ ହୋଇଛି । କରୋନା ସନ୍ଦିଗ୍ଧଙ୍କ ଉତମ ଚିକିତ୍ସା ପାଇଁ ଏସସିବିରେ ହୋଇଛି ଖାସ୍ ବ୍ୟବସ୍ଥା ।