ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ବଢାଇଲା ଲକଡାଉନ ଅବଧି । ଏପ୍ରିଲ ୩୦ ଯାଏଁ ତାଲାବନ୍ଦ, ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ମୁଖ୍ୟମନ୍ତ୍ରୀ କହିଲେ, ଜୀବନ ଆଗ ପଛେ ଅର୍ଥନୀତି ।

1,159

କନକ ବ୍ୟୁରୋ: ଗୋଟିଏ ପଟେ ମଣିଷର ଜୀବନ ଅନ୍ୟପଟେ ଅର୍ଥନୀତିର ଅବସ୍ଥା । ଏପଟେ ନଈ ସେପଟେ ଖାଇ । ଏଭଳି ସ୍ଥିତି ଦେଇ ଗତି କରୁଛି ସାରା ବିଶ୍ୱ । ଓଡ଼ିଶାରେ ଲକ୍ ଡ଼ାଉନ ବଢ଼ାଇବା ସହ ସାରା ଦେଶରେ ମଧ୍ୟ ଲକ୍ ଡ଼ାଉନ ବଢ଼ାଇବା ପାଇଁ ରାଜ୍ୟ କ୍ୟାବିନେଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି ।

ସବୁଥିରେ ଅନିଶ୍ଚିତତା ଭିତରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଅବଶ୍ୟ ଜୀବନ ମରଣର ଯୁଦ୍ଧ ଭିତରେ ସ୍କୁଲ କଲେଜରେ ପାଠ ପଢ଼ା ଅପେକ୍ଷା କରିପାରିବ କିନ୍ତୁ ଆଗ କରୋନାକୁ ହରାଇବାକୁ ପଢ଼ିବ ।

ତେବେ ଲକ୍ ଡ଼ାଉନ ଭିତରେ ଯେପରି ପେଟ ଭୋକିଲା ରହିବ ନାହିଁ ସେଥିପାଇଁ କୃଷି କାର୍ଯ୍ୟ ଓ ନରେଗା କାମକୁ ଜାରି ରଖିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ତେବେ ଏହି କାମ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ହେବ । କରୋନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି ବୋଲି ନବୀନ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ସାରା ଦେଶରେ ଲାଗୁ କରିଥିବା ଲକ୍ ଡ଼ାଉନ ଅସନ୍ତା ଏପ୍ରିଲ ୧୪ ତାରିଖରେ ସରିବାକୁ ଯାଉଛି । ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଆଜି ପ୍ରଥମ ରାଜ୍ୟ ଭାବେ ଓଡ଼ିଶ ଲକ୍ ଡ଼ାଉନ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବଢ଼ାଇ ଦେଇଛି ।