ଦେଶରେ ଗତ ୪୫ ଦିନ ହେଲା କମୁଛି ଆକ୍ଟିଭ କେସ; ଏପଟେ ରାଜ୍ୟରେ ୩ ଲକ୍ଷ ଟପିଲା ସୁସ୍ଥଙ୍କ ସଂଖ୍ୟାହେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚେତାବନୀ, ଖୁବଶୀଘ୍ର ଜଣାପଡିବ ନିର୍ବାଚନ ଓ ପାର୍ବଣର ପ୍ରଭାବ

ଆଗାମୀ ଗୋଟିଏ, ଦୁଇ ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ

345

କନକ ବ୍ୟୁରୋ: ଦେଶରେ ଗତ ୪୫ ଦିନ ହେଲା କମୁଛି କରୋନାର ଆକ୍ଟିଭ କେସ ସଂଖ୍ୟା । ଅର୍ଥାତ ହସ୍ପିଟାଲରେ କିମ୍ବା ଘରେ ସଂଗରୋଧରେ ରହି ଚିକିତ୍ସତ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ସେହି ତୁଳନାରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢୁଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତମାନ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରୁ କେବଳ ୭୬ ଦଶମିକ ୭ ପ୍ରତିଶତ ୧୦ଟି ରାଜ୍ୟରୁ ଅଛନ୍ତି । ଏହି ରାଜ୍ୟଗୁଡିକ ହେଉଛି- ଆନ୍ଧ୍ର ପ୍ରଦେଶ, ଛତିଶଗଡ, ରାଜସ୍ଥାନ, ହରିଆଣା, ଉତର ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଦିଲ୍ଲୀ, କେରଳ ଓ ମହାରାଷ୍ଟ୍ର ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧ ହଜାର ୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ଏହଂ ସଂଖ୍ୟା ୩ ଲକ୍ଷ ୪୭୪କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ବର୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭ ହଜାର ୯୬୫କୁ ଖସିଆସିଛି । ରାଜ୍ୟରେ ଏବେ ୨.୫ ପ୍ରତିଶତ ରୋଗୀଙ୍କ ଚିକିତ୍ସା ଚାଲିଛି । ସେହପରି ୨୪ ଘଂଟାରେ ମୋଟ୍ ୩୬ ହଜାର ୨୧୨ କୋଭିଡ ନମୂନା ପରୀକ୍ଷା ହୋଇଥିବାବେଳେ ମାତ୍ର ୬୪୪ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳେ ଓ ୯ଟି ଜିଲ୍ଲାରେ ଏକ ଅଙ୍କରେ ରହିଛି ।

ଏହାରି ଭିତରେ କରୋନାର ସଂକ୍ରମଣ ବଢିବା ନେଇ ଆଶଙ୍କା ମଧ୍ୟ ରହିଛି । କରୋନା ମହାମାରୀ ପାଇଁ ଦେଶରେ କିଛିମାସ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ କୋହଳ କରି ଦିଆଯାଇଛି । ହେଲେ ଏହାରି ଭିତରେ ବିହାର ବିଧାନସଭା ନିର୍ବାଚନ ସମେତ କେତେର ରାଜ୍ୟରେ ଉପନିର୍ବାଚନ ଶେଷ ହୋଇଛି । ସେହିପରି ଦଶହରା, ଦୀପାବଳି ପରି ପାର୍ବଣରେ ଲୋକେ ବହୁ ସଂଖ୍ୟାରେ ସାମିଲ ହୋଇଛନ୍ତି । ତେଣୁ କରୋନା ସଂକ୍ରମଣ ଉପରେ ଏସବୁ ଘଟଣାର ପ୍ରଭାବ ଖୁବଶୀଘ୍ର ଜଣାପଡିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିୟମିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଆମକୁ ନୂଆ ସଂକ୍ରମଣ ଉପରେ ସତର୍କତାର ସହ ନଜର ରଖିବାକୁ ପଡିବ । ଦିଲ୍ଲୀରେ ଗତ କିଛିଦିନ ହେଲା କରୋନାର ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଯାହା ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା ପାଇଁ ଉଭୟ ସରକାର କେତେକ ଜରୁରୀକାଳୀନ ପଦକ୍ଷେପ ନେଉଛନ୍ତି ।