ଥଣ୍ଡା କିମ୍ବା ସ୍ୱାଦ ଓ ଗନ୍ଧ ବାରିବାରେ ଅସୁବିଧା ହେଲେ ବି ହୋଇପାରେ କରୋନା ! ଆମେରିକାର ହେଲଥ ଏଜେନ୍ସି ଜାରି କଲା କରୋନା ମହାମାରୀର ଏଭଳି ପ୍ରମୁଖ ୬ ନୂଆ ଲକ୍ଷଣ

1,426

କନକ ବ୍ୟୁରୋ: ସାରା ବିଶ୍ୱରେ ଆତଙ୍କ ରଚିଥିବା କରୋନା ମହାମାରୀକୁ ନେଇ ପ୍ରତିଦିନ ସାମ୍ନାରୁ ଆସୁଛି ନୂଆ ନୂଆ ତଥ୍ୟ । ଦିନକୁ ଦିନର କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ଲକ୍ଷଣ ମଧ୍ୟ ବଦଳିବାରେ ଲାଗିଛି । ତେବେ ନିର୍ଦ୍ଦିଷ୍ଟ ଜଣାଶୁଣା ଲକ୍ଷଣ ଭିତ୍ତିରେ କରୋନା ରୋଗୀଙ୍କୁ ଚିହ୍ନଟ କରି ଏହା ବଜାୟ ରଖାଯାଉଥିବା ବେଳେ କୌଣସି ତଥାକଥିତ ଲକ୍ଷଣ ନଥାଇ ମଧ୍ୟ ଜଣେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବାର ଅନେକ ନଜିର ରହିଛ ଯାହାକି ବିଶେଷଜ୍ଞମାନଙ୍କ ପାଇଁ ସବୁଠୁ ବେଶୀ ମୁଣ୍ତବିନ୍ଧାର କାରଣ ସାଜିଛି । ଅନ୍ୟପଟେ କରୋନା ଚିହ୍ନଟ ପାଇଁ ଦିନକୁ ଦିନ ନୂଆ ନୂଆ ଲକ୍ଷଣର ସଂଖ୍ୟା ବଢ଼ିଚାଲିଥିବା ବେଳେ ଆମେରିକା ହେଲ୍ଥ ଏଜେନ୍ସି ଜାରି କରିଛି ଏହି ରୋଗର ୬ଟି ନୂଆ ଲକ୍ଷଣ ।

ଯଦି କାହାକୁ ଥଣ୍ଡା ଅନୁଭବ ହେଉଛି ବା ଝିମ୍ ଝିମ୍ ଲାଗିବା ସହ ଦେହ ଥରିବା ଭଳି ଅନୁଭବ ହେଉଛି, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ତବିନ୍ଧା, ତଣ୍ଟି ବସିବା ଏବଂ କୌଣସି ସ୍ବାଦ ଓ ଗନ୍ଧ ହରେଇ ବସିବା ଭଳି ଲକ୍ଷଣ ଦେଖାଦେଉଛି ତେବେ ତାଙ୍କୁ କରୋନା ହୋଇଥିବାର ଯଥେଷ୍ଟ ସଂଭାବନା ରହୁଛି । ତେବେ ବର୍ତ୍ତମାନ ସୁଦ୍ଧା ଚିକିତ୍ସା ବିଶେଷଜ୍ଞମାନେ ଅଭିନବ କରୋନା ଭୂତାଣୁର ବିଭିନ୍ନ ଗୁଣ ସମ୍ପର୍କରେ ଜାଣିବା ପାଇଁ ଗବେଷଣା ଜାରି ରଖିଥିବା ବେଳେ ଆମେରିକାର ଶୀର୍ଷ ସରକାରୀ ଜନସ୍ବାସ୍ଥ୍ୟ ପରିଚାଳନା ସଂସ୍ଥା ରୋଗ ଓ ଭେଷଜ ନିୟନ୍ତ୍ରଣ କେନ୍ଦ୍ର (ସିଡିସି)ପକ୍ଷରୁ ଏହି ଘାତକ ରୋଗର ଉପରୋକ୍ତ ଛଅଟି ନୂଆ ଲକ୍ଷଣ ସଂପର୍କରେ କୁହାଯାଇଛି ।

ପୂର୍ବରୁ ଜ୍ବର ହେବା, କାଶ ହେବା ଏବଂ ଦ୍ରୁତ ନିଶ୍ବାସପ୍ରଶ୍ବାସ ନେବା ଆଦି ଏହି ରୋଗର ଜଣାଶୁଣା ସାଧାରଣ ଲକ୍ଷଣ ଭାବେ ପରିଗଣିତ ହେଉଥିଲା । ସେହିପରି ଦୁଇ ଦିନରୁ ଦୁଇ ସପ୍ତାହ ଯାଏ ଏହି ସବୁ ଲକ୍ଷଣ ଦେଖାଉଥିବା କୋଭିଡ୍–୧୯ ଆକ୍ରାନ୍ତମାନେ ବେଳେବେଳେ ଅତି ସାମାନ୍ୟ ଜଣାପଡି଼ବା ଠାରୁ ଆରମ୍ଭ କରି ଗୁରୁତର ଅସୁସ୍ଥ ହୋଇପଡି଼ବା ଭଳି ସ୍ଥିତିକୁ ମଧ୍ୟ ଚାଲି ଆସିଥାନ୍ତି ବୋଲି ସିଡିସି ପକ୍ଷରୁ କୁହାଯାଇଛି । ସେହିପରି ଉକ୍ତ ସଂସ୍ଥା ପକ୍ଷରୁ ମଧ୍ୟ ଆଶୁ ଚିକିତ୍ସା ଲୋଡୁଥିବା କିଛି ଲକ୍ଷଣ ସମ୍ପର୍କରେ ସତର୍କ କରାଯାଇଛି । ସେଗୁଡି଼କ ମଧ୍ୟରେ ଶ୍ବାସକ୍ରିୟାରେ କ୍ରମାଗତ କଷ୍ଟ ଅନୁଭବ କରିବା, ଛାତି ଭିତରେ ଯନ୍ତ୍ରଣା ବା ଚାପ ଅନୁଭବ କରିବା, ମୁହଁ ଏବଂ ଓଠ ଆଦି ପାଉଁଶିଆ ବା ନିଷ୍ପ୍ରଭ ଦେଖାଯିବା ଆଦି ଲକ୍ଷଣ ରହିଛି ।