ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ: ବ୍ରିଟେନକୁ ୪୦ ରାଷ୍ଟ୍ରର ବିମାନ ଚଳାଚଳ ବନ୍ଦ; ବ୍ରିଟେନ୍ ସମେତ ୮ ରାଷ୍ଟ୍ରରେ ନୂଆ ଭାଇରସର ଉପସ୍ଥିତି

ଭାରତରେ ନୂଆ କୋଭିଡ୍ ଭୂତାଣୁ ଚିହ୍ନଟ ହୋଇନି: ଆଇସିଏମଆର୍

308

କନକ ବ୍ୟୁରୋ: ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ବିଶ୍ବବ୍ୟାପୀ ଭୟ ସୃଷ୍ଟି କରିଛି। ପୂର୍ବ କରୋନାଭୂତାଣୁ ତୁଳନାରେ ନୂଆ ଭୂତାଣୁ ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଅତି ସହଜରେ ସଂକ୍ରମିତ କରିପାରୁଛି। ବିଭିନ୍ନ ରାଷ୍ଟ୍ରରେ ନୂଆ ଭୂତାଣୁର ମୁକାବିଲା ପାଇଁ କଟକଣା ଆରମ୍ଭ ହୋଇଯାଇଛି । ଆଜି ସୁଦ୍ଧା ୪୦ରୁ୍ ଅଧିକ ରାଷ୍ଟ୍ର ବ୍ରିଟେନ୍କୁ ବିମାନ ସେବା ବାତିଲ କରିଥିବା ଜଣାପଡ଼ିଛି। ୬ଟି ୟୁରୋପୀୟ ରାଷ୍ଟ୍ର ଇଟାଲି, ବେଲଜିୟମ, ଆଇସଲାଣ୍ଡ୍ , ଡେନମାର୍କ, ନେଦରଲାଣ୍ଡ୍ ଏବଂ ଜର୍ମାନୀରେ ମଧ୍ୟ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି।

ସେହିପରି ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ନୂଆ ଭୂତାଣୁ ଚିହ୍ନଟ ହୋଇଥିବାରୁ ନୂଆ କଟକଣା ଜାରି ହୋଇଛି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୈଜ୍ଞାନିକମାନେ ମତ ରଖିଛନ୍ତି ଯେ, ନୂଆ କରୋନା ଭୂତାଣୁ ଅଧିକ ବିପଜ୍ଜନକ ବୋଲି କୌଣସି ବଳିଷ୍ଠ ପ୍ରମାଣ ନାହିଁ। ତେବେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରି ଚଳିବାକୁ ହେବ ବୋଲି ‘ ହୁ ’ ଏମର୍ଜେନ୍ସି ମୁଖ୍ୟ ଡ. ରୢାନ୍ କହିଛନ୍ତି। ବ୍ରିଟେନରେ ବୈଜ୍ଞାନିକମାନେ ଏହି ନୂଆ ଭୂତାଣୁର ପ୍ରଭାବକୁ ଭଲଭାବେ ଅଧ୍ୟୟନ କରୁଛନ୍ତି।

ନୂଆ କରୋନା ଭୂତାଣୁ ପାଇଁ ଯେଉଁ ନିୟମ ଲାଗୁ ହୋଇଛି ସେଥିପାଇଁ ଗତକାଲି ଭାରତର ବିଭିନ୍ନ ବିମାନବନ୍ଦରେ ଅଧିକ ଗହଳି ଓ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଯାତ୍ରୀମାନଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବ୍ରିଟେନ୍ ଫେରନ୍ତା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପହଞ୍ଚିବାପରେ ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ୍ କରିବାକୁ ପଡ଼ୁଛି। ଏଥିପାଇଁ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ଦେଶରବିଭିନ୍ନ ଅଂଶରେ ଟେଷ୍ଟିଂ ହୋଇଥିବା ନମୁନାରେ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ଆଇସିଏମ୍ଆର- ନାରି (ନ୍ୟାସନାଲ୍ ଏଡ୍ସ ରିସର୍ଚ୍ଚ୍ ଇନଷ୍ଟିଚ୍ୟୁଟ୍) ନିର୍ଦ୍ଦେଶକ ଡ. ସମୀରଣ ପଣ୍ଡା କହିଛନ୍ତି। ଗତ ୬-୭ ମାସ ମଧ୍ୟରେ ୨,୦୦୦ ନମୁନାରେ ଯେଉଁ ଭାଇରାଲ୍ ଜେନୋମ୍ ଅଧ୍ୟୟନ ହୋଇଥିଲା ସେଥିରେ ମଧ୍ୟ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇନି ବୋଲି ଡ. ପଣ୍ଡା କହିଛନ୍ତି।