ବିଦେଶୀ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡ ଲାଇନ, ବିମାନ ବନ୍ଦରରେ ଦେଖାଇବାକୁ ହେବ ଏହି ସବୁ କାଗଜ

64

କନକ ବ୍ୟୁରୋ : ଦେଶରେ କିଛିଦିନ ହେବ କ୍ରମାଗତ ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି । ହେଲେ ଅନ୍ୟ କିଛି ଦେଶମାନଙ୍କରେ ପୁଣି କରୋନାର କରାଳ ରୂପ ଦେଖିବାକୁ ମିଳିଛି । ଏହି କ୍ରମରେ ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡ ଲାଇନ ଜାରି କରିଛି । ନୂଆ ଗାଇଡ ଲାଇନରେ କୁହାଯାଇଛି କି ସମସ୍ତ ଅର୍ନ୍ତରାଷ୍ଟ୍ରୀୟ ଯାତ୍ରୀ ବିମାନ ବନ୍ଦରରେ କୋଭିଡ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଓ ଆରଟିପିସିଆର ରିପୋର୍ଟ ଦେଖାଇବା ଜରୁରୀ ।

ଅନ୍ୟପଟେ ଘରୋଇ ବିମାନ ଉପରେ କରୋନା ଭୂତାଣୁ ପାଇଁ ଲାଗିଥିବା ସମସ୍ତ କଟକଣା ଅକ୍ଟୋବର ୧୮ ତାରିଖରୁ ଉଠାଇ ଦେଇଛନ୍ତି ସରକାର । ଏହି ନିର୍ଦ୍ଦେଶ ପରେ ଏବେ ଘରୋଇ ବିମାନଗୁଡିକ ୧୦୦ ପ୍ରତିଶତ କ୍ଷମତା ସହିତ ଯାତ୍ରା କରିପାରିବ । ଏହା ପୂର୍ବରୁ ୧୮ ନଭେମ୍ବର ୨୦୨୦ ରୁ ୧୮ ଅକ୍ଟୋବର ୨୦୨୧ ମଧ୍ୟରେ ଘରୋଇ ବିମାନଗୁଡିକୁ ୮୫ ପ୍ରତିଶତ କ୍ଷମତା ସହ ଯାତ୍ରା କରିବାକୁ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ବିମାନ ବନ୍ଦରରେ ପୂର୍ବଭଳି ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରାଯିବ । ଏହାସହ ବିମାନ ଭିତରେ ବି ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି କରୋନା ସଂକ୍ରମଣ କାରଣରୁ ୨୦୨୦ ମାର୍ଚ୍ଚ ୨୩ ତାରିଖରୁ ସମସ୍ତ ଅର୍ନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ମାତ୍ର ୨୦୨୦ ମେ ମାସରେ ‘ବନ୍ଦେ ଭାରତ ମିଶନ’ ଜରିଆରେ ବିଶେଷ ଅର୍ନ୍ତରାଷ୍ଟ୍ରୀୟ ଉଡାଣକୁ ପରିଚାଳନା କରାଯାଇଥିଲା । ଏହା ବ୍ୟତୀତ କିଛି ନିର୍ଦ୍ଧିଷ୍ଟ ଦେଶର ସହ ଦ୍ୱିପାକ୍ଷୀକ ‘ଏୟାର ବବଲ’ ବ୍ୟବସ୍ଥା କ୍ରମରେ ଜୁଲାଇ ୨୦୨୦ ରୁ ଉଡାଣ ପରିଚାଳନା କରାଯାଉଥିଲା ।