କନକ ବ୍ୟୁରୋ: କରୋନା ପାଇଁ ସରକାର ୧୮୦ ଦିନ ପର୍ଯ୍ୟନ୍ତ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେବେ ବୋଲି ସ୍ପଷ୍ଟ ହୋଇଛି। ତେବେ ଏହି ୧୮୦ ଦିନ କରୋନା ଯୁଦ୍ଧ ଅବଧି ଭିତରେ ପଡ଼ୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ର ବା ରଥଯାତ୍ରା। ତେବେ ଏଥର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା କିଭଳି ପାଳିତ ହେବ ତାକୁ ନେଇ ଅନିଶ୍ଚିତତା ବଢ଼ିଛି। ଆଡମ୍ବର ନା ନିରାଡମ୍ବରରେ ପାଳନ କରାଯିବ ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଆସନ୍ତା ଜୁନ ୨୩ ତାରିଖରେ ପଡ଼ୁଥିବା ମହାପ୍ରଭୁଙ୍କ ଘୋଷଯାତ୍ରା କିଭଳି ପାଳନ କରାଯିବ ତାକୁ ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ। ଏ ନେଇ ଖୁବଶୀଘ୍ର ପରିଚାଳନା କମିଟି ଓ ଛତିଶାନିଯୋଗ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ବସ୍ତସୂତ୍ରରୁ ଜଣାପଡିଛି। କରୋନା ପ୍ରଭାବ ଆସନ୍ତା ୧୫ ଦିନ ଭିତରେ ନ କମିଲେ ଏ ନେଇ ଘୋଷଣା ହେବ। ସମ୍ଭବତଃ ଏଥର ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ମୁତାବକ, ନିରାଡମ୍ବରରେ ପାଳନ କରାଯିବ।
ପୁରୀ ଜିଲ୍ଲା ପ୍ରଶାସନ ଏବେ କରୋନାକୁ ନେଇ ପୁରୀରେ ପର୍ଯ୍ୟଟକଙ୍କ ଉପରେ କଡ଼ା କଟକଣା ଲଗାଇଛନ୍ତି। ପୁରୀକୁ ବାହାର ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ଉପରେ ରୋକ୍ ଲଗାଯାଇଛି। ଗତ ୨୦ ତାରିଖରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଶ୍ରୀମନ୍ଦିରରେ କେବଳ ନୀତିକାନ୍ତି ଚାଲିଛି। ତେବେ ଏଭଳି ସ୍ଥିତିରେ ଆସନ୍ତା ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚାଯାତ୍ରା ବା ଘୋଷଯାତ୍ରାକୁ ନେଇ ଏକ ଅନଶ୍ଚିତତା ଦେଖାଦେଇଛି। ଆସନ୍ତା ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରୁ ରଥକାମ ଅନୁକୂଳ ହେବ। ସେହି ଦିନଠାରୁ ରଥ କାମ ଆରମ୍ଭ ହେବା ସହିତ ଚନ୍ଦନଯାତ୍ରା ଆରମ୍ଭ ହୋଇଥାଏ। ମହାପ୍ରଭୁ ଚାପ ଖେଳିବାକୁ ନରେନ୍ଦ୍ରକୁ ବିଜେ କରିବେ।
ପ୍ରାୟ ୨୧ ଦିନ ଧରି ନରେନ୍ଦ୍ରରେ ଚାପ ଖେଳ ଚାଲିବ। ଚାପ ଖେଳ ଦେଖିବାକୁ ନରେନ୍ଦ୍ର ପୁଷ୍କରିଣୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ସମାଜିକ ଦୂରତା ଦୃଷ୍ଟିରୁ ଏହା ଉପରେ ମଧ୍ୟ କଟକଣା ଲାଗିବ ବୋଲି କୁହାଯାଉଛି। ପୁରୀରେ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାପ୍ରଭୁଙ୍କ ରଥଯାତ୍ରାରେ ୧୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ୯ ଦିନର ଘୋଷଯାତ୍ରାରେ ପ୍ରତିଦିନ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀ ଆସିଥାଆନ୍ତି। ସେହିଭଳି ବାହୁଡା ଯାତ୍ରା ଓ ସୁନାବେଶ ଦେଖିବା ପାଇଁ ମଧ୍ୟ ୧୫ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ପୁରୀକୁ ୫୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। କରୋନାକୁ ଦୃଷ୍ଟିରେ ରଖି ଏଥର ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଳନକୁ ନେଇ କିଛି ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/ES4jJSTUwAE27Gr.jpg)
/kanak/media/post_attachments/wp-content/uploads/2020/03/puri-photo2-750x430.jpg)
/kanak/media/post_attachments/wp-content/uploads/2020/03/ES5ki_AUEAEjI7R.jpg)