କେରଳରେ କାଲିଠାରୁ ଖୋଲିବ ହୋଟେଲ । ଅଡ୍ ଇଭିନ୍ ଫର୍ମୁଲାରେ ୭ ଜିଲ୍ଲାରେ ଗଡିବ ଗାଡି । କରୋନା ସ୍ଥିତି ସୁଧୁରୁଥିବା ଅଂଚଳରେ କୋହଳ ହେଲା କଟକଣା

1,194

କନକ ବ୍ୟୁରୋ: କେରଳରେ ସୋମବାର ଠାରୁ ୭ଟି ଜିଲ୍ଲାରେ ଜୀବନଯାତ୍ରା ସ୍ୱାଭାବିକ ହେବାକୁ ଯାଉଛି । ଦେଶର ପ୍ରଥମ ରାଜ୍ୟ ଭାବେ ତାଲାବନ୍ଦ କଟକଣା କୋହଳ କରିବାକୁ ଯାଉଛି କେରଳ । କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ନହେବା ଓ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ଗାଡି ଚଳାଚଳ କରିବାକୁ ନିଷ୍ପତି ନେଇଛନ୍ତି କେରଳ ସରକାର । ୨ଟି ଜିଲ୍ଲାରେ ଆସନ୍ତାକାଲିଠୁ ଜୀବନ ଯାତ୍ରା ସ୍ୱଭାବିକ ହେବାକୁ ଯାଉଥିବା ବେଳେ ୫ଟି ଜିଲ୍ଲାରେ କଟକଣାକୁ କୋହଳ କରାଯିବ । କିଛି ରେଷ୍ଟୁରାଂଟ ଖୋଲା ରଖିବା ସହ ଯୁଗ୍ମ ଅଯୁଗ୍ମ ଫର୍ମୂଲାରେ ଘରୋଇ ଗାଡି ବି ଚଳାଚଳ କରିବ ।

ସଂକ୍ରମଣ ସ୍ଥିତିକୁ ଆଖିରେ ରଖି କେରଳକୁ ୪ଟି ଜୋନରେ ଭାଗ କରି କ୍ରମାନ୍ୱୟରେ ତାଲାବନ୍ଦ ହଟାଇବା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । କେରଳର ୧୪ଟି ଜିଲ୍ଲାକୁ ରେଡ ଜୋନ, ଅରେଞ୍ଜ-ଏ, ଅରେଞ୍ଜ-ବି ଏବଂ ଗ୍ରୀନ ଜୋନରେ ଭାଗ କରାଯାଇ, ତାଲାବନ୍ଦ କୋହଳ କରିବାକୁ ଯାଉଛନ୍ତି କେରଳ ସରକାର । ଆସନ୍ତାକାଲି କୋଟ୍ଟାୟାମ ଓ ଇଦୁକି ଜିଲ୍ଲାରେ ତାଲାବନ୍ଦ ହଟି ସ୍ୱାଭାବିକତା ଆସିବ । ଏହି ଦୁଇ ଜିଲ୍ଲାକୁ ଗ୍ରୀନ ଜୋନରେ ରଖାଯାଇଛି କାରଣ ସେଠାରେ ଏବେ କୌଣସି ଆକ୍ଟିଭ କେସ ନାହିଁ । କୋଟ୍ଟାୟାମ ଓ ଇଦୁକିରେ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ରେଷ୍ଟୁରାଂଟ ଖୋଲା ରହିବ । ତେବେ ସେଠାରେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରିବାକୁ କଡା ନିର୍ଦ୍ଦେଶ ରହିଛି ।

ଏହାଛଡା ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଚଷମା ଦୋକାନ, ସେଲୁନ, ମୋବାଇଲ ଫୋନ ଦୋକାନ, କମ୍ପୁଟର ଆଣ୍ଡ ଆସେସରିଜ, ଅଟୋ ୱାର୍କସପ, ବହି ଦୋକାନ ସପ୍ତାହକୁ ୨ ଥର ଖୋଲିବାକୁ ଅନୁମତି ମିଳିଛି । ସେହିପରି ଅରେଞ୍ଜ-ବିରେ ଥିବା ଥିରୁବନନ୍ତପୁରମ, ଆଲାପୁଝା, ଥ୍ରୀସୁର, ପାଲାକ୍କଡ ଏବଂ ୱାୟନାଡ ଜିଲ୍ଲାରେ ତାଲାବନ୍ଦ କଟକଣାକୁ କୋହଳ କରାଯିବ । ଅନ୍ୟପଟେ ଅରେଞ୍ଜ-ଏ ଜୋନରେ ଥିବା ଜିଲ୍ଲାଗୁଡିକରେ କଟକଣା ଅପ୍ରେଲ ୨୪ ତାରିଖରେ କୋହଳ କରାଯିବ ବୋଲି ନିଷ୍ପତି ମିଳିଛି ।