ଦେଶର ଅର୍ଥନୀତି ସୁଧାରିବାକୁ ଆସିପାରେ ବଡ ପ୍ୟାକେଜ୍: ସାଧାରଣ ଜନତା ଓ କର୍ପୋରେଟ ଜଗତର ଆର୍ଥିକ ମେରୁଦଣ୍ଡ ସଳଖିବାକୁ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

682

କନକ ବ୍ୟୁରୋ: ଦେଶରେ କରୋନା ସ୍ଥିତିରେ ଦୋହଲି ଗଲାଣି ଦେଶର ଅର୍ଥନୀତି । ପ୍ରାୟ ଏକ ମାସ ଧରି ଲାଗୁ ରହିଛି ତାଲାବନ୍ଦ । ଠପ୍ ହୋଇଯାଇଛି ସାରାଦେଶ । ବନ୍ଦ ହୋଇ ପଡିଛି ଶିଳ୍ପ ଠାରୁ ଆରମ୍ଭ କରି କର୍ପୋରେଟ୍ ଜଗତ । ସାଧାରଣ ଜନତା ମଧ୍ୟ କାମ ହରାଇ ହାତ ବାନ୍ଧି ଘରେ ବସିଛନ୍ତି । ଏପରି ସ୍ଥିତିରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁସାରେ କେନ୍ଦ୍ର ସରକାର ଏଥିପାଇଁ ଏକ ବଡ ପ୍ୟାକେଜ୍ ଘୋଷଣା କରିପାରନ୍ତି । ଯାହାକି କର୍ପୋରେଟ୍ ଜଗତତୁ ଉତ୍ସାହ ଯୋଗାଇବ । ଦେଶର ସାଧାରଣ ଜନତାଙ୍କୁ ଆର୍ଥିକ ବୋଝରୁ ଆଶ୍ୱସ୍ତି ମିଳିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଦୀର୍ଘ ଘଂଟା ଆଲୋଚନା ବି କରିଛନ୍ତି ।ସମସ୍ତ ଦିଗକୁ ଦେଖି ଏହି ପ୍ୟାକେଜରେ ଏବେ ଚୂଡାନ୍ତ ସ୍ପର୍ଶ ଦିଆଯାଉଛି । କେବଳ ବାକି ରହିଛି ସରକାରଙ୍କ ଘୋଷଣା । ବିଭିନ୍ନ ସ୍ତରରେ ଏନେଇ ଆଲୋଚନା, ବିଚାର ବିମର୍ଷ ଓ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏନେଇ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୭ ଲକ୍ଷ କୋଟି ଟଙ୍କାର ପ୍ରଥମ ପ୍ୟ‌ାକେଜ୍ ଘୋଷଣା କରିଥିଲେ। ହିତାଧିକାରୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦେବା ଏବଂ ନଗଦ ଲାଭ ହସ୍ତାନ୍ତର କରିବା ଏବଂ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଜୁରୀ ଆଦି ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା। ତେବେ ସରକାର ଯେଉଁ ଦ୍ବିତୀୟ ପ୍ୟାକେଜ୍ ପ୍ରସ୍ତୁତ କରୁଛନ୍ତି ତାହା କୋଭିଡ୍‌-୧୯ ମୁକାବିଲାର ଶେଷ ପ୍ୟାକେଜ୍ ହୋଇନପାରେ। ଅର୍ଥନୀତିକୁ ଜରୁରୀକାଳୀନ ସହାୟତା ପ୍ରଦାନ କରିବା ଲାଗି ଏକାଧିକ ପ୍ୟାକେଜ୍ ଘୋଷଣା କରାଯିବାର ସମ୍ଭାବନା ରହିଛି। ଆଗାମୀ ଦିନରେ ଏମ୍ଏସ୍‌ଏମ୍ଇ ସଂସ୍ଥାଗୁଡ଼ିକୁ ସୁବିଧ‌ାରେ ଋଣ ଯୋଗାଇ ଦେବା ଏବଂ ଗରିବ ଲୋକମାନଙ୍କୁ ଅଧିକ ଟଙ୍କା ଏବଂ ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବାର ସମ୍ଭାବନା ରହିଛି। ମନରେଗା ମଜୁରୀ ବଢ଼ାଇବା ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ଲକ୍‌ଡାଉନ୍ ସମୟରେ ଗ୍ରାମାଚଂଳରେ କର୍ମନିଯୁକ୍ତି ସୃଷ୍ଟି କରିବା ଲାଗି ମନରେଗା ଶ୍ରମିକମାନଙ୍କୁ ନେଇ ଗ୍ରାମାଞ୍ଚଳରେ ସଡ଼କ ପଥ ନିର୍ମାଣ କରିବା ଉପରେ ସରକାର ବିଚାର କରୁଛନ୍ତି।

ଯେହେତୁ କୋଭିଡ୍‌-୧୯ର ପ୍ରଭାବ ବିଶେଷ କରି ସହରାଞ୍ଚଳ ଏବଂ ଅର୍ଥ ସହରାଞ୍ଚଳ ମଧ୍ୟରେ ସୀମିତ ରହିଛି ତେଣୁ ଗ୍ରାମାଞ୍ଚଳରୁ ଅର୍ଥନୀତିର ଗତି ଆଗକୁ ବଢ଼ାଇବା ସବୁଠୁ ସୁରକ୍ଷିତ ବିକଳ୍ପ ହେବ ବୋଲି ସରକାର ଭାବୁଛନ୍ତି। ଅର୍ଥନୀତି କାର୍ଯ୍ୟକଳାପକୁ ପୁନର୍ବାର ଚାଲୁ କରିବା ଲାଗି କେନ୍ଦ୍ର ସରକାର‌ କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି। କୃଷି କାର୍ଯ୍ୟଗୁଡ଼ିକୁ ଲକ୍‌ଡାଉନ୍ କଟକଣାରୁ ବାଦ ଦେଇଛନ୍ତି। ଯେଉଁ କେ‌ତେକ କଟକଣା ରହିଛି ତାହାକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ହଟାଇ ନିଆଯିବ। ରବି ଫସଲ ଯେଭଳି ସୁବିଧାରେ ଅମଳ ହୋଇପାରିବ ତାହାକୁ ନିଶ୍ଚିତ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିବେ। ଚାଷୀମାନେ ଯେଭଳି ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ କମ୍ ଦରରେ ବିକ୍ରି ନକରନ୍ତି ତାହାକୁ ନିଶ୍ଚିତ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିବେ କାରଣ ତାହା ଚାଷୀଙ୍କ ଆୟକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଖାଦ୍ୟ ସାମଗ୍ରୀର ସୁବିଧାଜନକ ପରିବହନ ଲାଗି ମଧ୍ୟ ବ୍ୟବସ୍ଥା କରାଯିବ। ଚାଷୀମାନଙ୍କୁ ଶୀତଳଭଣ୍ଡାର ବ୍ୟବସ୍ଥା ଯୋଗାଇ ଦେବା ଉପରେ ମଧ୍ୟ ବିଚାର କରାଯାଉଛି। ବଡ଼ ବଡ଼ କଂପାନି ଏବଂ ଖୁଚୁରା ବିକ୍ରେତାମାନେ ଯେଭଳି ବିଭିନ୍ନ ପନିପରିବା, ଫଳ ଆଦିକୁ ଚାଷୀଙ୍କ ଠାରୁ ସିଧାସଳଖ ଯେଭଳି କିଣିପାର‌ିବେ ସେଥିପାଇଁ ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଛି।