ରଥଯାତ୍ରାର ଜନସମୁଦ୍ର ବଢାଇପାରେ କରୋନା ସଂକ୍ରମଣ। ଭକ୍ତଙ୍କ ମୁହଁର ନଥିଲା ମାସ୍କ।

95

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରଥାରୁଢ ଶ୍ରୀଜିଉଙ୍କୁ ଦେଖିବା ପାଇଁ ଯେଉଁ ଜନସମୁଦ୍ର ହୋଇଛି ଏହା କରୋନା ସଂକ୍ରମଣକୁ ବଢାଇବାର ଯଥେଷ୍ଟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରଥଯାତ୍ରା ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ । ଏଥିରେ ସମସ୍ତେ ଠିକଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ପୁରୀ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଭିତରେ କିଏ ମାସ୍କ ପିନ୍ଧୁଛନ୍ତି ବା ନପିନ୍ଧୁଛନ୍ତି ତାକୁ ଯାଞ୍ଚ କରିବାର କୌଣସି ସୁଯୋଗ ନଥିଲା । ଜ୍ୱର, ସର୍ଦ୍ଦି ଓ ଥଣ୍ଡାକାଶ ଆଦି ଲକ୍ଷଣ ଥିଲେ ଜନଗହଳିକୁ ନଯାଇ ଘରେ ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛନ୍ତି । ହେଲେ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ଭଗବାନଙ୍କଠାରୁ ଭକ୍ତଙ୍କୁ ଦୂରେଇ ରଖିବା ସମ୍ଭବ ନଥିଲା । ଲୋକରଣ୍ୟ ହୋଇପଡିଥିଲା ପୁରୀ ବଡଦାଣ୍ଡ ।

ପୁରୀରେ ଭକ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିବାବେଳେ ଭୁବନେଶ୍ୱରରେ ମାକ୍ସକୁ ବାଧ୍ୟତାମୂଳକ କରାଯିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । କିନ୍ତୁ ରାଜ୍ୟରେ ଓ ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ପ୍ରଶାସନର ଚିନ୍ତା ବଢିଛି । ୨୪ ଘଂଟାରେ ରାଜ୍ୟରେ ୨୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତର ୩ଦିନ ହେଲା ଦେଢଶହ ଉପରେ ରହୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ, ରଥଯାତ୍ରା ଭିଡ ଭିତରେ କିଛି ସମୟ ବିତାଇଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ରଥଯାତ୍ରାରୁ ଫେରିଥିବା ଲୋକ କୌଣସି ଲକ୍ଷଣ ଅନୁଭବ କଲେ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ସାରାଦେଶରେ ଓ ରାଜ୍ୟରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ବଢିଛି । ହେଲେ ରାଜ୍ୟରେ ସଂକ୍ରମଣ ହାର ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଅଧିକାଂଶ ଲୋକ ଟିକା ନେଇସାରୁଥିବାରୁ ସଂକ୍ରମଣ ବୃଦ୍ଧି ହେଲେ ମଧ୍ୟ ଗୁରୁତର ହେବା କିମ୍ବା ହସ୍ପିଟାଲରେ ଭର୍ତି ହେବାର ଆଶଙ୍କା କମ୍ ।