ଦେଶରେ କରୋନା ସଂକ୍ରମଣ ଉପରମୁହାଁ : ସଂକ୍ରମଣ ପୁଣି ୯୦ ହଜାରକୁ ବଢ଼ିଲା ; ଦିଲ୍ଲୀରେ ରେକର୍ଡ଼ ୪୦୩୯ ସଂକ୍ରମଣ

ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ ।

କନକ ବ୍ୟୁରୋ : ଦେଶରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି । ୨ ଦିନ ଧରି ଦେଶରେ ଦୈନିକ କରୋନା ସଂକ୍ରମଣ ୯୦ ହଜାରରୁ ଅଧିକ ରହିବାପରେ ଗତକାଲି ସଂକ୍ରମଣ ୭୫ ହଜାରକୁ ଖସିଥିଲା। କିନ୍ତୁ ଆଜି ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୯୦ ହଜାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୯ ହଜାର ୭୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୧୧୫ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଆଜି ସୁଦ୍ଧା ଦେଶରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୮ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୭୩ ହଜାର ୮୯୦କୁ ବୃଦ୍ଧି ପାଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୩ ଲକ୍ଷ ୯୮ ହଜାର ୮୪୪ ଜଣ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। ଫଳରେ ଦେଶରେ କରୋନା ଆରୋଗ୍ୟ ହାର ୭୭.୭୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ ମୃତ୍ୟୁହାର ୧.୬୯ ପ୍ରତିଶତରୁ କମ୍‌ ରହିଛି। ତେବେ ଏବେ ଦେଶରେ ୮ ଲକ୍ଷ ୯୭ ହଜାର ୩୯୪ ସକ୍ରିୟ ମାମଲା ରହିଛି, ଯାହାକି ମୋଟ୍‌ ସଂକ୍ରମଣ ମାମଲାର ୨୦.୫୩ ପ୍ରତିଶତ। ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ରେକର୍ଡ ୪୦୩୯ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି। ଟେଷ୍ଟିଂ ବଢ଼ାଯିବା ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ପୂର୍ବରୁ ଜୁନ ୨୩ରେ ‌ଦିଲ୍ଲୀରେ ରେକର୍ଡ ୩୯୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ ୨୩ର ରେକର୍ଡ ଆଜି ଭାଙ୍ଗିଛି।

ଆଇସିଏମ୍‌ଆର ଅନୁଯାୟୀ ଦେଶରେ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ମୋଟ୍‌ ୫ କୋଟି ୧୮ ଲକ୍ଷ ୪ ହଜାର ୬୭୭ ନମୁନା ପରୀକ୍ଷା ହୋଇଛି। ଗତକାଲି ୧୧ ଲକ୍ଷ ୫୪ ହଜାର ୫୪୯ ନମୁନା ପରୀକ୍ଷା ହୋଇଛି। ଦେଶରେ ମୋଟ୍‌ ୭୩ ହଜାର ୮୯୦ ମୃତ୍ୟୁ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୭ ହଜାର ୪୦୭, ତାମିଲନାଡ଼ୁରେ ୮ ହଜାର ୧୨, କର୍ଣ୍ଣାଟକରେ ୬,୬୮୦, ଦିଲ୍ଲୀରେ ୪,୬୧୮, ଆନ୍ଧ୍ରପ୍ରଦେଶରେ ୪,୫୬୦, ଉତ୍ତରପ୍ରଦେଶରେ ୪ ହଜାର ୪୭, ପଶ୍ଚିମବଙ୍ଗରେ ୩ହଜାର ୬୭୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ପୁଣି ୭୪ ହଜାର ୮୯୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe