କନକ ବ୍ୟୁରୋ: ଅଚାନକ ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୨୮ ହଜାର ୯୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୪୪ ହୋଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୪୦୬ ରହିଛି । ଏହାରି ଭିତରେ ୬ଟି ରାଜ୍ୟର ଯୋଗଦାନ ଅଧିକ ରହିଛି ।

Advertisment

ଗତ ୨୪ ଘଂଟାରେ କେବଳ ମହାରାଷ୍ଟ୍ରରେ ୧୭ ହଜାର ୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏଠାରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇସାରିଥିବା ଆଶଙ୍କା କରୁଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ପରିପ୍ରେକ୍ଷୀରେ କରୋନା ସତର୍କତାକୁ ଅଧିକ କଡାକଡି କରିବା ପାଇଁ କୁହାଯାଇଛି । ଦେଶରେ ବଢୁଥିବା ସଂକ୍ରମଣକୁ ନେଇ କେଉଁ ୬ଟି ରାଜ୍ୟ ଚିନ୍ତା ବଢାଉଛି ନଜର ପକାନ୍ତୁ :-

ମହାରାଷ୍ଟ୍ର - ୧୭ ହଜାର ୮୬୪
କେରଳ - ୧ ହଜାର ୯୭୦
ପଞ୍ଜାବ - ୧ ହଜାର ୪୭୫
କର୍ଣ୍ଣାଟକ - ୧ ହଜାର ୧୩୫
ଗୁଜରାଟ - ୯୫୪
ତାମିଲନାଡୁ - ୮୬୭

ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦ୍ବେଗଜନକ ରହିଛି । ମହାରାଷ୍ଟ୍ରରେ ଲଗାତାର ଭାବେ ୫ ଦିନ ହେଲା ୧୫ ହଜାର ଉପରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଂଟାରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୬୧ ଦଶମିକ ୮୦ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

- ନାଗପୁରରେ ମାର୍ଚ୍ଚ ୧୫ରୁ ୩୧ ସଂପୂର୍ଣ୍ଣ ଲକଡାଉନ୍ ରହିଛି ।
- ନାସିକରେ ରାତି ୭ରୁ ସକାଳ ୭ ଯାଏଁ ଦୋକାନ ବନ୍ଦ ରହିବ ।
- ନାନ୍ଦେଡରେ ରାତି ୭ରୁ ସକାଳ ୭ ଦୋକାନ ବଜାର ବନ୍ଦ
- ପୁନେରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ
- ଓସମାନାବାଦରେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ
- ଔରଙ୍ଗାବାଦରେ ସପ୍ତାହର ଶେଷଦିନ ଲକଡାଉନ୍
- ପାରଭାନୀରେ ୨ ଦିନିଆ ନାଉଟ କର୍ଫ୍ୟୁ ଜାରି

ମହାରାଷ୍ଟ୍ର ପରେ ଚିନ୍ତା ବଢାଇଛି ଗୁଜରାଟ । କେବଳ ଗୁଜରାଟ କଥା ଯଦି ଦେଖିବା, ମଙ୍ଗଳବାର ୯୫୪ଟି ନୂଆ ମାମଲା ଆସିବା ପରେ ମୋଟ ସଂକ୍ରମଣ ସଂଖ୍ୟା ପହଂଚିଛି ୨ଲକ୍ଷ ୮୦ହଜାର ୫୧ରେ ।

- ଗୁଜରାଟରେ ସଂକ୍ରମଣକୁ ଦେଖି ବଢିଲା ନାଇଟ କର୍ଫ୍ୟୁ ଅବଧି
- ୪ଟି ହଟସ୍ପଟ ସହରରେ ନାଇଟ କର୍ଫ୍ୟୁ ଅବଧି ୨ ଘଂଟା ବୃଦ୍ଧି
- ରାତି ୧୨ ପରିବର୍ତ୍ତେ ରାତି ୧୦ରୁ ସକାଳ ୬ ଯାଏଁ କର୍ଫ୍ୟୁ
- ଅହମ୍ମଦାବାଦ, ସୁରଟ୍, ଭଡୋଦରା ଓ ରାଜକୋଟରେ କର୍ଫ୍ୟୁ
- ମାର୍ଚ୍ଚ ୧୭ରୁ ୩୧ ଯାଏଁ କଡାକଡି ହୋଇଛି ନାଇଟ୍ କର୍ଫ୍ୟୁ

ସେପଟେ ମଧ୍ୟ ପ୍ରଦେଶରେ ସଂକ୍ରମଣ ବଢୁଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଗତ ୨୪ଘଂଟାରେ ରାଜ୍ୟରେ ୮୧୭ଟି ନୂଆ ମମାଲା ସାମ୍ନାକୁ ଆସିଛି । ବଢୁଥିବା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ।

- ଆଜିଠାରୁ ଭୋପାଳ ଓ ଇନ୍ଦୋରରେ ନାଇଟ୍ କର୍ଫ୍ୟୁ
- ଅର୍ଥାତ ସମସ୍ତ ଚଳପ୍ରଚଳ ଉପରେ ଶକ୍ତ କଟକଣା
- ଅନ୍ୟ ୮ଟି ସହରରେ ରାତି ୧୦ ପରେ ଦୋକାନ ବନ୍ଦ
- ଜବଲପୁର, ଗ୍ୱାଲିୟର, ଉଜ୍ଜୈନରେ ରାତିରେ ଦୋକାନ ବନ୍ଦ
- ରତଲାମ୍, ଛିନ୍ଦୱାଡା, ବୁରହାନପୁର, ବେତୁଲରେ କଟକଣା
- ଖାରଗାଓଁରେ ମଧ୍ୟ ରାତି ୧୦ ପରେ ବନ୍ଦ ରହିବ ଦୋକାନ
- ହୋଲିରେ ଜନସମାବେଶ ଉପରେ ରହିବ କଟକଣା
- ବ୍ୟକ୍ତିଗତ ଭାବେ ପାଳନ କରିପାରିବେ ହୋଲି ଉତ୍ସବ

ଗତ ୨୪ଘଂଟାରେ କେରଳରେ ୧ ହଜାର ୯୭୦ ନୂଆ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୯୪ହଜାର ୨୯୪ରହିଛି । ସେହିପରି ପଂଜାବରେ ୧ ହଜାର ୪୭୫ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧ହଜାର ୩୬ରେ ପହଂଚିଛି ।