ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ । ଫେରିଲା କଟକଣା, ବଢିଲା ଚିନ୍ତା 

379
କନକ ବ୍ୟୁରୋ : ପ୍ରାୟ ଦୁଇ ବର୍ଷର ହନ୍ତସନ୍ତ ପରେ ସ୍ୱାଭାବିକ ହୋଇ ଆସୁଥିବା ଜନଜୀବନ ପୁଣି ଥରେ ଆତଙ୍କିତ ହୋଇପଡିଛି । ଚୀନ, ୟୁରୋପିୟ ଦେଶ ଭଳି ଆମ ଦେଶରେ ପୁଣି ଥରେ କରୋନା ତାର କୋପ ଦେଖାଇବା ଆରମ୍ଭ କରିଛି । ଦେଶରେ ଦୈନିକ ସଂକ୍ରମଣ ପୁଣି ୨ହଜାର ପାର କରିଛି । ବୁଧବାର ୨୦୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ମଙ୍ଗଳବାର ତୁଳନାରେ ୬୫ ଦଶମିକ ୭ ପ୍ରତିଶତ ଅଧିକ । ମଙ୍ଗଳବାର ୧୨୪୭ ଓ ସୋମବାର ୨୧୮୩ ପଜିଟିଭ ଚିହ୍ନଟ ହୋଇଥିଲେ ।  ଦିନକ ପରେ ପୁଣି ୨ ହଜାର ଉପରେ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି ।
ସବୁଠାରୁ ବଡ କଥା ହେଉଛି, ଦୈନିକ ସଂକ୍ରମଣ ହାର ୦.୪୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ରେଟ୍ ରହିଛି ୦.୩୮ ପ୍ରତିଶତ । ଏହାରି ଭିତରେ ଦେଶରେ ଆର ଭାଲ୍ୟୁ ମଧ୍ୟ ବୃଦ୍ଧି ପାଇଛି । ଏପ୍ରିଲ ୧୨ରୁ ୧୮ ମଧ୍ୟରେ ଆର ଭାଲ୍ୟୁ ୧.୦୭ ପ୍ରତିଶତ ରହିଛି । ଯାହାକି ୩ମାସ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି । ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୦ ପ୍ରତିଶତ ମାମଲା କେବଳ ଦିଲ୍ଲୀରୁ ଆସିଛି । ଯାହାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିବା ସହ କୋଭିଡ କଟକଣାକୁ କଡାକଡି କରିଛନ୍ତି ଦିଲ୍ଲୀ ସରକାର । ପୁଣି ଥରେ ମାସ୍କ ପିନ୍ଧିବା କଟକଣାକୁ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ସଂକ୍ରମଣ କମିବା ପରେ ମାର୍ଚ୍ଚ ୩୦ରେ କଟକଣା କୋହଳ କରିଥିଲା ଦିଲ୍ଳୀ ପ୍ରଶାସନ । ତେବେ ଓଡିଶାରେ ସେଭଳି ସ୍ଥିତି ଉପୁଜିନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।