ଦେଶରେ କମିଚାଲିଛି କରୋନା ସଂକ୍ରମଣ । ଦେଶରେ ୨୪ ଘଂଟାରେ ୬୦ ହଜାର ୪୭୧ ନୂଆ ମାମଲା ଚିହ୍ନଟ । ଲଗାତାର ୮ଦିନ ଧରି ୧ ଲକ୍ଷରୁ କମ୍ ସଂକ୍ରମଣ

139

କନକ ବ୍ୟୁରୋ: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ଫିକା ପଡୁଥିବା ଦେଖିବାକୁ ମିଳୁଛି । କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଆଉ ଗତ ୭୫ ଦିନ ଭିତରେ ସବୁଠାରୁ କମ୍ ସଂଖ୍ୟକ କରୋନା ସଂକ୍ରମଣ ମଙ୍ଗଳବାର ଚିହ୍ନଟ ହୋଇଛି ।

ସୁସ୍ଥ ହେଉଛି ଭାରତ । ଦ୍ୱିତୀୟ ଲହରରେ ଦ୍ରୁତ ସଂକ୍ରମଣ ପରେ ଏବେ ବ୍ରେକ୍ ଲାଗୁଥିବା ଦେଖିବାକୁ ମିଳିଛି । ଦେଶରେ ପାଖାପାଖି ୬୧ ହଜାର ନୂଆ ମାମଲା ଚିହ୍ନଟ ହୋଇଛି । ଯାହା ଗତ ୭୫ ଦିନରେ ସବୁଠାରୁ କମ୍ ।..

ମଙ୍ଗଳବାର ଦେଶରେ ୬୦ ହଜାର ୪୭୧ ନୂଆ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ଲଗାତାର ୮ଦିନ ଧରି ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ କମ୍ ରହିଛି । ଯାହା ଦେଖି ଲାଗୁଛି ଦେଶରେ ଏବେ ଦ୍ୱିତୀୟ ଲହର ଫିକା ପଡିବାରେ ଲାଗିଛି । ଦୈନିକ ସଂକ୍ରମଣ ହାର ୩.୦୯ପ୍ରତିଶତ ରହିଛି । ନଜର ପକାଇବା ଗତ ୨୪ ଘଂଟାର କରୋନା ଚାର୍ଟ ଉପରେ –

-ଗତ ୨୪ ଘଂଟାରେ ନୂଆ ସଂକ୍ରମଣ ସଂଖ୍ୟା ରହିଛି ୬୦,୪୭୧
-ଗତ ୨୪ ଘଂଟାରେ ୨, ୭୨୬ଜଣଙ୍କ ମୃତ୍ୟୁ ହୋଇଛି
-ଗତ ୨୪ ଘଂଟାରେ ୧, ୧୭, ୫୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
-ମୋଟ ସକ୍ରିୟ କରୋନା ରୋଗୀ ସଂଖ୍ୟା ୯ ଲକ୍ଷ ୧୩ ହଜାର ୩୭୮
-ଦେଶରେ ସଂକ୍ରମଣ ହାର ୩.୦୯%କୁ ହ୍ରାସ ପାଇଛି
-ସୁସ୍ଥ ହାର ୯୫.୬୪%କୁ ବୃଦ୍ଧି ପାଇଛି
-ମୋଟ କରୋନା ସଂକ୍ରମିତ ସଂଖ୍ୟା ୨, ୯୫, ୭୦,୮୮୧ ରେ ପହଁଚିଛି
-ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ରହିଛି ୩ ଲକ୍ଷ ୭୭ ହଜାର ୩୧

ଯେଉଁଠି ଦେଶରେ କରୋନା ସଂକ୍ରମଣ କମୁଛି, ସେଠାରେ କେରଳରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କରଳରେ ଲକ୍ଡାଉନ୍ ସମୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ପ୍ରତିଶତ ବୃଦ୍ଧି ପାଇଥିବା ରେକର୍ଡ ହୋଇଛି । ଗତ ମେ ୫ରୁ ୧୨ ତାରିଖ ଭିତରେ ରାଜ୍ୟରେ ୪୮୮ କରୋନା ଜନିତ ମୃତ୍ୟୁ ହୋଇଥିଲା । ଆଉ ଜୁନ୍ ୨ -୯ ତାରିଖ ଭିତରେ ରାଜ୍ୟରେ ୧,୨୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ସାପ୍ତାହିକ ମୃତ୍ୟୁ ହାର ୧୪୯ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ କରୋନା ପରୀକ୍ଷଣ ମଧ୍ୟ ୨୨ ପ୍ରତିଶତ କମିଥିବା ରିପୋର୍ଟ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଅନେକ ଲୋକ କରୋନା ପରୀକ୍ଷଣ କରି ନାହାଁନ୍ତି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ସେପଟେ ବିରୋଧି କେରଳ ସରକାରଙ୍କ ଉପରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାକୁ ବଦଳାଉଥିବା ଅଭିଯୋଗ କରିଛନ୍ତି ।