ଦକ୍ଷିଣ ଆଫ୍ରିକାରେ କମୁଛି କରୋନା ସଂକ୍ରମଣ: ବିଶେଷଜ୍ଞଙ୍କ ମତ ଡେଲ୍ଟାର ସ୍ଥାନ ଓମିକ୍ରନ୍ ନେବା ପରେ କମୁଛି ନୂଆ ମାମଲା

174

କନକ ବ୍ୟୁରୋ: ଗୁରୁବାର ଏକ ବିବୃତି ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ପ୍ରଜାତି ଯୋଗୁଁ ଆସିଥିବା କରୋନାର ଚତୁର୍ଥ ଲହର ପ୍ରାୟ ୬ ମାସର ଦ୍ରୁତ ସଂକ୍ରମଣ ପରେ କମିବା ଆରମ୍ଭ ହୋଇଛି । ୬ ସପ୍ତାହ ଧରି ଦେଶରେ ପ୍ରାୟ ୧ କୋଟି ସୋକଙ୍କୁ ସଂକ୍ରମିତ କରିବା ପରେ ଏହା ଏକପ୍ରକାର ପ୍ଲାଟ୍ୟୁ ସ୍ଥିତିକୁ ଆସିଯାଇଥିବା କହିଛନ୍ତି ଆଫ୍ରିକାରେ ଥିବା ଡବ୍ଲୁଏଚଓର ଆଂଚଳିକ ନିର୍ଦ୍ଦେଶକ । ତାଙ୍କ ମତରେ ଆଫ୍ରିକାରେ ଏହା ସବୁଠାରୁ କମ୍ ଅବଧିର ପିକ୍ ଥିଲା ।

କରୋନାର ଓମିକ୍ରନ୍ ପ୍ରଜାତି ପ୍ରଥମେ ଦକ୍ଷିଣ ଆଫ୍ରିକାରେ ହିଁ ଚିହ୍ନଟ ହୋଇଥିଲା । ୨୦୨୧ ନଭେମ୍ବର ୨୪ ତାରିଖରେ ଏହାକୁ ଚିହ୍ନଟ କରି ଡବ୍ଲୁଏଚଓକୁ ଜଣାଇବା ପରେ ନଭେମ୍ବର ୨୬ରେ ଏହାକୁ ଭାରିଆଂଟ ଅଫ କନସର୍ଣ୍ଣ ଘୋଷଣା କରଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ପୂର୍ବ ସପ୍ତାହ ଅପେକ୍ଷା ଜାନୁଆରୀ ୯ରେ ଶେଷ ହୋଇଥିବା ସପ୍ତାହରେ କରୋନା ସଂକ୍ରମଣ ହାର ୧୪ ପ୍ରତିଶତ କମ୍ ରହିଛି । ସେହିପରି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ପ୍ରାୟ ୫ ହଜାର ୬ଶହ ଆଇସିୟୁ ବେଡରୁ ୯ ପ୍ରତିଶତ ଅକ୍ତିଆର ହୋଇଛି । କିନ୍ତୁ ପୂର୍ବ ସପ୍ତାହ ଅପେକ୍ଷା ମୃତ୍ୟୁ ହାର ୬୪ ପ୍ରତିଶତ ବଢିଛି । କାରଣ ଟିକା ନେଇନଥିବା ଓ ଜଟିଳ ରୋଗ ଥିବା ଅଧିକାଂଶ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ।

ଦକ୍ଷିଣ ଆଫ୍ରିକାରେ କରୋନା ମାମଲା କମିଥିଲେ ମଧ୍ୟ ଚିନ୍ତା ଦୂର ହୋଇନାହିଁ । ତାର ବଡ କାରଣ ହେଲା ଦକ୍ଷିଣ ଆଫ୍ରିକାର ଧିମା ଟିକାକରଣ । ଏଠାରେ ମାତ୍ର ୧୦ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ତେଣୁ ଯେପର୍ଯ୍ୟନ୍ତ ଟିକାକରଣ ବ୍ୟାପକ ହୋଇନାହିଁ ସଂକ୍ରମଣ ବଢିଲେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଏଥିରେ ସନ୍ଦେହ ନାହିଁ ଯେ, ଦକ୍ଷିଣ ଆଫ୍ରିକାରେ ଡେଲ୍ଟାର ସ୍ଥାନ ନେଇ ସାରିଛି ଓମିକ୍ରନ୍ ଭୂତାଣୁ । ବିଶେଷଜ୍ଞଙ୍କ ଅନୁସାରେ ମାତ୍ର ୨ ସପ୍ତାହରେ ଓମିକ୍ରନ ସାରା ଆଫ୍ରିକାରେ ଡେଲ୍ଟାର ସ୍ଥାନ ନେଇଗଲା । ଏବଂ ୬ ସପ୍ତାହରେ ଏହା ଶୀର୍ଷକୁ ଛୁଇଁ ପୁଣି ପ୍ଲାଟ୍ୟୁ ସ୍ଥିତିକୁ ଆସିଯାଇଛି । ତେଣୁ ଏହା ସବୁଠାରୁ କମ୍ ସମୟରେ ଦକ୍ଷିଣ ଆଫ୍ରିକାରେ ପିକରେ ପହଂଚି ପୁଣି ହ୍ରାସ ପାଇଛି । ସାରା ବିଶ୍ୱରେ ଓମିକ୍ରନ୍ ଭୁତାଣୁର ଏହି ଟ୍ରେଣ୍ଡ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି ।