ଆସିଲାନି ଆମ୍ବୁଲାନ୍ସ । ପିପିଇ କିଟ୍ ପିନ୍ଧି ହସ୍ପିଟାଲରେ ପହଞ୍ଚିଲେ କରୋନା ଆକ୍ରାନ୍ତ । ସାରା ବିଶ୍ୱ ଆଗରେ ସୃଷ୍ଟି କଲେ ସଚେତନତାର ଏକ ନୂଆ ବାର୍ତ୍ତା ।

1,510

କନକ ବ୍ୟୁରୋ : ସଚେତନ କରୋନା ସଂକ୍ରମିତ । ଆସିଲାନି ଆମ୍ବୁଲାନ୍ସ, ପିପିଇ କିଟ୍ ପିନ୍ଧି ହସ୍ପିଟାଲରେ ପହଞ୍ଚିଲେ କରୋନା ରୋଗୀ ।

ଆମ୍ବୁଲାନ୍ସ ନଆସୁ, ମୁଁ ନିଜେ ହସ୍ପିଟାଲ ଯିବି । ମୋ ପାଇଁ ଯେମିତି ଆଉ କେହି ସଂକ୍ରମିତ ନହୁଅନ୍ତୁ । ଆମେ ସମସ୍ତେ ସଚେତନ ହେଲେ କରୋନା ହାରିବ ।

ଇଏ ଥିଲା କରୋନା ସଂକ୍ରମିତ ହୋଇଥିବା ଏହି ବ୍ୟକ୍ତିଙ୍କ ବାର୍ତା । ଯେତେବେଳେ ସେ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିଲେ, ସେତେବେଳେ ବ୍ୟତିବ୍ୟସ୍ତ ହୋଇନପଡି ସ୍ୱାସ୍ଥ୍ୟ ବିଭାଗ ସହ ସମ୍ପର୍କ କରିଥିଲେ । ହେଲେ ଦୁଃଖର ବିଷୟ ହେଉଛି ନା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିଲା, ନାଁ ଏହି ବ୍ୟକ୍ତିଙ୍କ ପାଖରେ କୌଣସି ଆମ୍ବୁଲାନ୍ସ ପହଂଚିଥିଲା । ଆଉ ଶେଷରେ ବାଧ୍ୟ ହୋଇ ପିପିଇ କିଟ୍ ପିନ୍ଧି ନିଜ ବାଇକରେ କୋଭିଡ୍ ହସ୍ପିଟାଲକୁ ଯାଇଥିଲେ ଏହି ସଚେତନ ଯୁବକ ।

ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶ ସେହୋର ଜିଲ୍ଲାର । ଯେତେବେଳେ ସାରା ଦେଶରେ କରୋନା କାୟା ମେଲାଇ ଚାଲିଛି, ଠିକ୍ ସେତିକି ବେଳେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲାପ୍ରଶାସନର ଏଭଳି ଅବହେଳା କରୋନା ମୁକାବିଲା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ସରକାରୀ ବ୍ୟବସ୍ଥାକୁ ଦୋଷ ନଦେଇ ନିଜକୁ ଜଣେ ସଚେତନ ନାଗରିକର ପରିଚୟ ଦେଇଛନ୍ତି ।

ଗତ ଦୁଇ ଦିନ ତଳେ ଆମେ ଗଞ୍ଜାମ ଭଞ୍ଜନଗରର ଏକ ଦୃଶ୍ୟ ଆପଣଙ୍କୁ ଦେଖାଇଥିଲୁ । ଯେଉଁଠି ନିଜ ଜୀବନକୁ ବାଜି ଲଗାଇ ଅଙ୍ଗନୱାଡି ଦିଦି, ଆଶାକର୍ମୀ ଲୋକଙ୍କ ଘରକୁ ଯାଇ ସଚେତନ କରାଉଥିଲେ । ହେଲେ ଲୋକମାନେ ବୁଝିବାକୁ ନାରାଜ ।

ଗୋଟିଏ ପଟେ କିଛି ଅମାନିଆଙ୍କ ଅସହଯୋଗ, କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିବାର ଆଶଙ୍କା ସୃଷ୍ଟି କରୁଥିବା ବେଳେ, ଅନ୍ୟପଟେ ମଧ୍ୟପ୍ରଦେଶର ଏହି ବ୍ୟକ୍ତି ସାରା ବିଶ୍ୱ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି । କାଳେ କିଏ ତାଙ୍କ ଠାରୁ ସଂକ୍ରମିତ ହୋଇନଯାଉ, ସେଥିପାଇଁ ଆମ୍ବୁଲାନ୍ସ ନଆସିଲେ ମଧ୍ୟ, ଜଣେ ସଚେତନ ନାଗରିକ ହିସାବରେ ପିପିଇ କିଟ୍ ପିନ୍ଧି ନିଜେ ବାଇକ୍ ଚଳାଇ ହସ୍ପିଟାଲରେ ପହଂଚିଛନ୍ତି । ଆଉ କରୋନାକୁ ହରାଇବାକୁ ହେଲେ ସମସ୍ତଙ୍କୁ ଏମିତି ହିଁ ସଚେତନ ହେବା ଜରୁରୀ ।