ଦେଶରେ ‘କରୋନା’ର ବିସ୍ଫୋରକ ସ୍ଥିତି: ଦିନକରେ ସର୍ବାଧିକ ୪୮ ହଜାର ୯୧୬ ପଜିଟିଭ , ୭୫୭ ମୃତ; ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧କୁ ବୃଦ୍ଧି

153

କନକ ବ୍ୟୁରୋ: ସାରା ଦେଶରେ କରୋନା ମିଟର ଉପରମୁହାଁ । ପୁଣି ଗତ ୨୪ ଘଂଟାରେ ୪୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍ ୪୮ ହଜାର ୯୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଅବଧିରେ ୭୫୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ ହୋଇଛି । ସେପଟେ ଗତ ୨୪ ଘଂଟା ଭିତରେ ୩୨ ହଜାର ୨୨୩ ଜଣ କରୋନାରୁ ସୁସ୍ଥ ମଧ୍ୟ ହୋଇଛନ୍ତି । ଦେଶରେ ବର୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪ଲକ୍ଷ ୫୬ ହଜାର ୬୧ । ଏହାରି ଭିତରେ ଦେଶରେ ୮ ଲକ୍ଷ ୪୯ ହଜାର ୪୩୧ ଜଣ ସୁସ୍ଥ ହୋଇସାରିଲେଣି । ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୧ ହଜାର ୩୫୮ରେ ପହଂଚିଛି । ମହାରାଷ୍ଟ୍ର ଏବେ ବି କରୋନା ସଂକ୍ରମଣରେ ଶୀର୍ଷରେ ରହିଛି । ଏଠାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୪ ହଜାରରୁ ଅଧିକ ରହିଥିବାବେଳେ ୧୩ ହଜାର ୧୩୨ ଜଣଙ୍କ ଜୀବନ ନେଲାଣି ମାରାତ୍ମକ କରୋନା ଭତାଣୁ ।

ଏପଟେ, ଓଡିଶା ସମେତ ୯ଟି ରାଜ୍ୟକୁ କରୋନା ପରିଚାଳନାରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତର ପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ବର୍ତମାନ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଗତକାଲି ଏନେଇ କେନ୍ଦ୍ର କ୍ୟାବିନେଟ ସଚିବ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କଥାହୋଇ କୋଭିଡ-୧୯ ପରିଚାଳନା ବାବଦରେ ସମୀକ୍ଷା କରିଛନ୍ତି ।

ଏପଟେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଖୁବଶୀଘ୍ର କେନ୍ଦ୍ର ସରକାର ରାଜ୍ୟଗୁଡିକ ପାଇଁ ନୂଆ ଗାଇଡଲାଇନ ଜାରି କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଆଗାମୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତ ୧ ସପ୍ତାହରେ ବିଶେଷ କରି ୯ଟି ରାଜ୍ୟରେ କରୋନାର ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇଛି । ଅନଲକ-୨ରେ ଲୋକମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିନଥିବାରୁ ସ୍ଥିତି ବିଗିଡିଥିବା ଆଶଙ୍କା କରାଯାଉଛି । ତେଣୁ ରାଜ୍ୟଗୁଡିକଠାରୁ ମିଳିଥିବା ଫିଡବ୍ୟାକ ଆଧାରରେ କିଛି ନିଷ୍ପତି ନିଆଯାଇପାରେ ।