ତାଲାବନ୍ଦ ଅବଧି ବଢାଇବା ପାଇଁ ନୂଆ ରଣନୀତି ଆପଣେଇ ପାରନ୍ତି ସରକାର: ୧୪ ପରେ ବି ବଳବତ୍ତର ରହିପାରେ କଟକଣା; ହେଲେ କରୋନା ସଂକ୍ରମଣ ଆଧାରରେ ୩ଟି ଜୋନରେ ବିଭକ୍ତ ହୋଇପାରେ ଦେଶ

ଫଳ-ପନିପରିବା ଦୋକାନୀ ଏବଂ ଇଲେକ୍ଟ୍ରିସିଆନ ଓ ମେକାନିକମାନଙ୍କୁ ମିଳିପାରେ ଆଶ୍ୱସ୍ତି

899

କନକ ବ୍ୟୁରୋ: ଦିନକ ପରେ ଶେଷ ହେଉଛି ୨୧ ଦିନର ଲକଡାଉନ ଅବଧି । ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଲକଡାଉନ ଅବଧି ବଢାଇବା ନେଇ ଆଲୋଚନା କରିସାରିଲେଣି । ତେବେ ଲଡଡାଉନ ଅବଧି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଥିଲେ । ମୋଦି ମଧ୍ୟ ଲକଡାଉନ ବଢିବା ନେଇ ସ୍ପଷ୍ଟ ସଂକେତ ଦେଇ ସାରିଛନ୍ତି । ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, କରୋନା ମୁକାବିଲା ପାଇଁ ସରକାର ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ସରକାର ଦେଶକୁ ରେଡ୍, ଅରେଂଜ ଏବଂ ଗ୍ରୀନ ଜୋନରେ ବିଭକ୍ତ କରିବା ପାଇଁ ଯୋଜନା କରିଛନ୍ତି ।

କେଉଁ ସ୍ଥାନରେ କରୋନା ସଂକ୍ରମଣରେ ମାତ୍ରା କେତେ ରହିଛି ସେହି ଅନୁଯାୟୀ ସଂପୃକ୍ତ ଅଂଚଳକୁ ରେଡ , ଅରେଂଜ ଏବଂ ଗ୍ରୀନ ଜୋନରେ ବିଭକ୍ତ କରାଯାଇପାରେ । ସେହିଭଳି ଯେଉଁ ସ୍ଥାନରେ ସଂକ୍ରମଣ ସବୁଠୁ ଅଧିକ ରହିଥିବ ଏବଂ ଅଧିକାଂଶ ଅଂଚଳ ହଟସ୍ପଟ ଘୋଷଣା ହୋଇଥିବ ତେବେ ସେହି ସ୍ଥାନଗୁଡିକୁ ରେଡ ଜୋନରେ ପରିଣତ କରିପାରନ୍ତି ସରକାର । ଫଲରେ ରେଡ୍ ଜୋନରେ କୌଣସି ବି କାର୍ଯ୍ୟ ପାଇଁ ଲୋକଙ୍କୁ ମିଳିବନାହିଁ ଅନୁମତି । ସେହିପରି ଅରେଂଜ ଜୋନରେ ସଂକ୍ରମଣର ମାତ୍ରା ଅପେକ୍ଷାକୃତ କମ ରହିଥିବ । ଏଠାରେ ସଂପୂର୍ଣ୍ଣ ନହେଲେ ମଧ୍ୟ ଆଂଶିକ କଟକଣା ଲାଗୁ ହୋଇପାରେ । ଅରେଂଜ ଜୋନରେ ଖୁବ୍ କମ ଗାଡି ଚଳାଚଳ ପାଇଁ ଅନୁମତି ମିଳିପାରେ ।

ସେହିଭଳି ଗ୍ରୀନ ଜୋନରେ ଆଦୌ ସଂକ୍ରମଣ ନଥିବ । ତେଣୁ ଏଠାରେ ବିଶେଷ କିଛି କଟକଣା ରହିବ ନାହିଁ ତେବେ ଏହି ଗ୍ରୀନ ଜୋନ ଅଧିନରେ ଆସୁଥିବା ଏମଏସଏମଇ ଶିଳ୍ପସଂସ୍ଥାଗୁଡିକ କାର୍ଯ୍ୟକ୍ଷମ ରହିବ ଏବଂ ଏଠାରେ କର୍ମଚାରୀମାନନଙ୍କୁ ସାମାଜିକ ଦୂରତ୍ୱ ଅବଲମ୍ବନ କରି କାମ କରିବାର ଅନୁମିତ ସରକାର ଦେଇପାରନ୍ତି । ଗ୍ରୀନ ଏବଂ ଅରେଂଜ ଜୋନ ଅଧିନରେ ଉପଯୁକ୍ତ ସାମାଜିକ ଦୂରତ୍ୱ ରଖି କୃଷି କାର୍ଯ୍ୟ ପାଇଁ ଅନୁମତି ମିଳିପାରେ । କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରେନ ସେବା ମଧ୍ୟ ଆରମ୍ଭ ହେବା ସହ ଦିଲ୍ଲୀରେ ୩୦ ପ୍ରତିଶତ ଯାତ୍ରୀଙ୍କ ପାଇଁ ମେଟ୍ରୋ ସେବା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି ।