ସଂକଟ ବଢ଼ାଉଛି ସେପ୍ଟେମ୍ବର: ପ୍ରଥମ ଦୁଇ ସପ୍ତାହରେ ସାରା ବିଶ୍ୱରେ ଭାରତରେ ସବୁଠୁ ଅଧିକ ସଂକ୍ରମଣ; ମୃତ୍ୟୁ ସଂଖ୍ୟାରେ ବି ଶୀର୍ଷରେ ରହିଛି ଭାରତ

ଚିନ୍ତାଜନକ ତଥ୍ୟ ଦେଲା ଜନ୍ ହପ୍କିନ୍ସ ବିଶ୍ୱ ବିଦ୍ୟାଳୟ: ଟିକା ଆସିବା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ

218

କନକ ବ୍ୟୁରୋ: ଭାରତରେ କରୋନାକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ । ସେପଟେମ୍ବର ମାସର ପ୍ରଥମ ୧୫ ଦିନରେ ଭାରତରେ ବିଶ୍ୱର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ୧୫ ଦିନରେ ସବୁଠାରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଅର୍ଥାତ୍ ଏହି ୧୫ ଦିନରେ ସାରାବିଶ୍ୱରେ ଭାରତ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ନମ୍ବର ଏବଂ କରୋନା ମୃତ୍ୟୁ ସଂଖ୍ୟାରେ ଏକ ନମ୍ବର ସ୍ଥାନରେ ରହିଛି । ସେପଟେମ୍ବର ୧ ତାରିଖରୁ ୧୫ ତାରିଖ ଭିତରେ ଭାରତରେ ୧୩ ଲକ୍ଷ ୮ ହଜାର ୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତ ପଛକୁ ରହିଛି ଆମେରିକା । ଏପରି ଚିନ୍ତାଜନକ ତଥ୍ୟ ଦେଇଛି ଜନ୍ ହପ୍କିନ୍ସ ବିଶ୍ୱ ବିଦ୍ୟାଳୟ । ଆମେରିକାରେ ଏହି ୧୫ ଦିନରେ ୫ ଲକ୍ଷ ୫୭ ହଜାର ୬୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆର୍ଜେଂଟିନାରେ ଏକ ଲକ୍ଷ ୫୪ ହଜାର ୨୯୮, ସ୍ପେନ୍ରେ ଏକ ଲକ୍ଷ ୩୦ ହଜାର ୮୭୨, କଲମ୍ବିଆରେ ୧ ଲକ୍ଷ ୧୩ ହଜାର ୮୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଡ଼ କଥା ହେଉଛି ଏହି ୧୫ ଦିନ ଭିତରେ ଭାରତରେ ୧୬ ହଜାର ୩୦୭ ଜଣ କରୋନା ରୋଗରେ ପ୍ରାଣ ହରାଇଛନ୍ତି । ଯାହା ମୃତ୍ୟୁ ସଂଖ୍ୟାରେ ବିଗତ ୧୫ ଦିନ ଭିତରେ ସାରାବିଶ୍ୱରେ ସବୁଠୁ ଅଧିକ । ଭାରତ ପଛକୁ ରହିଛି ଆମେରିକା । ଆମେରିକାରେ ୧୧ ହଜାର ୪୬୧, ବ୍ରାଜିଲ୍ରେ ୧୧ ହଜାର ୧୭୮, ମେକ୍ସିକୋରେ ୬ ହଜାର ୮୯୧, କଲମ୍ବିଆରେ ୩ ହଜାର ୭୫୯ ଏବଂ ଆର୍ଜେଂଟିନାରେ ୩ ହଜାର ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଆଶ୍ୱସ୍ତିକର ଖବର ହେଉଛି ଏହି ୧୫ ଦିନ ଭିତରେ ଭାରତରେ କରୋନା ମୃତ୍ୟୁର ହାର ହେଉଛି ମାତ୍ର ୧.୨୫ ପ୍ରତିଶତ । କଲୋମ୍ବିଆରେ ଏହା ସର୍ବାଧିକ ୩.୩ ପ୍ରତିଶତ । ଭାରତରେ ସବୁଠୁ ଅଧିକ ପ୍ରଭାବିତ ୫ଟି ରାଜ୍ୟର ତାଲିକାରେ ଅଛନ୍ତି-ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତରପ୍ରଦେଶ ଏବଂ ତାମିଲନାଡୁ ।

ସେପଟେ, କରୋନା ସ୍ଥିତି ସଂଗୀନ ହେଉଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଟିକା ଆସିବା ପର୍ଯ୍ୟନ୍ତ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି ଡାକ୍ତର ।