ଭାରତରେ ଗତ ୨୪ ଘଂଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ: ମୋଟ୍ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି; ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪

ମହାରାଷ୍ଟ୍ରରେ ହଜାରେ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

1,353

କନକ ବ୍ୟୁରୋ: ଭାରତରେ ଗତ ୨୪ ଘଂଟା ମଧ୍ୟରେ ୫୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି ହୋଇଛି । ଗତକାଲି ଗୋଟିଏ ଦିନରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୩ ରହିଛି । ଏହାକୁ ମିଶାଇ ଭାରତରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି ହୋଇଛି । ଦେଶରେ କରୋନା ଆକ୍ରାନ୍ତ ରାଜ୍ୟରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ଏଠାରେ ଆକ୍ରାନ୍ତ ସଂଖ୍ୟା ଟପିଛି ଏକ ହଜାର । ୧୫୦ ନୂଆ ମାମଲା ସହ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୧ ହଜାର ୧୮କୁ ବୃଦ୍ଧି ହୋଇଯାଇଛି । ଏଠାରେ ମୃତ୍ୟୁ ସଂଖ୍ୟା ୪୮ ରହିଛି । ସେହିପରି ଦିଲ୍ଲୀରେ ୫୭୬, ତାମିଲନାଡୁରେ ୬୨୧, କେରଳରେ ୩୨୭, ତେଲଙ୍ଗାନା ୩୬୪, ଆନ୍ଧ୍ରପ୍ରଦେଶରେ ଆକ୍ରାନ୍ତ ସଂଖ୍ୟା ୨୬୬ ଏବଂ ମଧ୍ୟପ୍ରଦେଶରେ ଆକ୍ରାନ୍ତ ସଂଖ୍ୟା ୨୬୮ କୁ ବୃଦ୍ଧି ହୋଇଛି ।

ଅନ୍ୟପଟେ, ପୁରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩ ଲକ୍ଷ ୮୦ ହଜାର ଅତିକ୍ରମ କରିଛି । ଏହା ମଧ୍ୟରେ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮ ହଜାର ୩୧୩କୁ ବୃଦ୍ଧି ହୋଇଛି । ବିଶ୍ୱରେ ଏବେ କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ଆମେରିକାରେ ଥମିବାର ନାଁ ଧରୁନି କରୋନା ଆତଙ୍କ । ଏହା ମଧ୍ୟରେ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୭୦ ହଜାର ପାର ହୋଇଛି । ଆମେରିକାରେ କରୋନା ହଟସ୍ପଟ୍ ମଧ୍ୟରେ ରହିଛି ନ୍ୟୁୟର୍କ, ଡେଟ୍ରଏଟ୍ , ନ୍ୟୁଓରଲିନସ , କନେକ୍ଟିକଟ୍ ପ୍ରଭୃତି ।

ସବୁଠାରୁ ଜଟିଳ ସ୍ଥିତି ଦେଖାଦେଇଛି ନ୍ୟୁୟର୍କ ସହରରେ । ଏଠାରେ ଗତ ୨୪ ଘଂଟା ମଧ୍ୟରେ ୭୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ କେବଳ ନ୍ୟୁୟର୍କରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୨ ଶହ ଛୁଇଁଛି । ଆମେରିକା ପଛକୁ ରହିଛି ସ୍ପେନ୍ । ଏଠାରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୦ ହଜାର ୫୧୦ ଓ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ୭୯୮ ରହିଛି । ଗତକାଲି ଗୋଟିଏ ଦିନରେ ସ୍ପେନରେ ୩ ହଜାର ୮୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇଟାଲିରେ ୧ ଲକ୍ଷ ୩୨ ହଜାର ୫୪୭ ଆକ୍ରାନ୍ତ ଓ ୧୬ ହଜାର ୫୨୩ ଜଣଙ୍କ ମୃତ୍ୟୁ ହେଲାଣି ।