କନକ ବ୍ୟୁରୋ: ରାଜ୍ୟର ୧ଲକ୍ଷ ଜନସଂଖ୍ୟାରେ ମାତ୍ର ୮୮ଜଣଙ୍କର କରୋନା ବା କୋଭିଡ-୧୯ ନମୁନା ପରୀକ୍ଷା କରାଯାଉଛି। ସାଢେ ୩ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟମାନଙ୍କରେ କେତେ ସଂଖ୍ୟକ କୋଭିଡ ନମୁନା ପରୀକ୍ଷା ହେଉଛି ତାହାର ଏହାର ତାଲିକା ଜାତୀୟ ଇଂରାଜୀ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ପ୍ରକାଶ ପାଇଛି। ଏଥିରେ ସମୁଦାୟ ୧୨ଟି ରାଜ୍ୟ ଥିବା ବେଳେ ଓଡ଼ିଶା ନମୁନା ପରୀକ୍ଷା କ୍ଷେତ୍ରରେ ନବମ ସ୍ଥାନରେ ରହିଛି। କେରଳ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି। ଭାରତରେ କମ୍ ସଂଖ୍ୟାରେ କୋଭିଡ ପରୀକ୍ଷା ହେଉଥିବାକୁ ନେଇ ବିଶ୍ବବ୍ୟାପୀ ଆଲୋଚନା ହେଉଛି।
ଆମେରିକା, ୟୁରୋପ ଓ ଏପରିକି ଦକ୍ଷିଣ କୋରିଆ ଭଳି ଦେଶ ତୁଳନାରେ ଭାରତରେ ଯଥେଷ୍ଟ କମ୍ ସଂଖ୍ୟକ କୋଭିଡ୍ ପରୀକ୍ଷା ହେଉଥିବା କୁହାଯାଉଛି। ଚଳିତମାସ ୧୩ତାରିଖ ସୁଦ୍ଧା ଏହି ଭିତ୍ତିରେ ଇଣ୍ଡିଆ ଟୁଡେର ପ୍ରକାଶିତ ରିପୋର୍ଟରେ କେରଳରେ ୧ଲକ୍ଷ ଜନସଂଖ୍ୟାରେ ୪୨୫ଜଣଙ୍କ କୋଭିଡ ପରୀକ୍ଷା ହେଉଛି। ରାଜସ୍ଥାନରେ ୩୬୫, ମହାରାଷ୍ଟ୍ରରେ ୨୮୯, ଗୁଜୁରାଟରେ ୧୭୦, ତାମିଲନାଡ଼ୁରେ ୧୪୧, କର୍ଣ୍ଣାଟକରେ ୧୩୯, ଆନ୍ଧ୍ରରେ ୧୩୩ ଓ ମଧ୍ୟପ୍ରଦେଶରେ ୧୨୬ଜଣଙ୍କ କୋଭିଡ ପରୀକ୍ଷା ହେଉଛି। ସବୁଠାରୁ ତଳେ ରହିଛି ପଶ୍ଚିମବଙ୍ଗ। ସେଠାରେ ୧ଲକ୍ଷ ଜନସଂଖ୍ୟାରେ ମାତ୍ର ୨୫ଜଣଙ୍କ ପରୀକ୍ଷା ହେଉଛି। ସେହିପରି ଉତ୍ତର ପ୍ରଦେଶରେ ୫୧ ଓ ବିହାରରେ ୫୫ଜଣଙ୍କ କୋଭିଡ ପରୀକ୍ଷା ହେଉଛି। ଗତ ୧୩ତାରିଖ ସୁଦ୍ଧା କେରଳରେ ଏ ପର୍ୟ୍ୟନ୍ତ ୧୪,୯୮୯ଜଣଙ୍କ କୋଭିଡ ପରୀକ୍ଷା ହୋଇଥିବା ବେଳେ ରାଜସ୍ଥାନରେ ୨୮,୫୦୫, ମହାରାଷ୍ଟ୍ରରେ ୩୫,୬୬୮, ଗୁଜୁରାଟରେ ୧୧,୭୧୫, ତାମିଲନାଡ଼ୁରେ ୧୦,୬୫୫, କର୍ଣ୍ଣାଟକରେ ୯୨୫୧, ଆନ୍ଧ୍ରରେ ୬୫୯୮, ମଧ୍ୟପ୍ରଦେଶରେ ୧୦,୪୮୧, ଓଡ଼ିଶାରେ ୩୮୬୨, ବିହାରରେ ୬୭୦୩, ଉତ୍ତରପ୍ରଦେଶରେ ୧୧,୮୫୫ ଓ ପଶ୍ଚିମବଙ୍ଗରେ ୨୫୨୩ଜଣଙ୍କ କୋଭିଡ ପରୀକ୍ଷା କରାଯାଇଛି।
ରାଜ୍ୟ ସରକାରଙ୍କ ସୂଚନାକୁ ଅନୁଶୀଳନ କଲେ, ରାଜ୍ୟରେ ଏବେ ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତମାସ ୩୦ ତାରିଖରେ ହିଁ ରାଜ୍ୟରେ ପ୍ରଥମଥର ଲାଗି ୧୦୩ଟି କୋଭିଡ ନମୁନା ପରୀକ୍ଷା କରାଯାଇଥିଲା। ଚଳିତମାସ ୧୩ତାରିଖରେ ରାଜ୍ୟରେ ସର୍ବାଧିକ ୫୬୪ଟି ନମୁନା ପରୀକ୍ଷା କରାଯାଇଛି। ତହିଁରେ ଆରଏମ୍ଆରସିରେ ସର୍ବାଧିକ ୩୫୭ଟି, ଏମ୍ସରେ ୭୮, ଏସସିବିରେ ୧୨୦ ଓ ଏମକେସିଜିରେ ୯ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ୟ୍ୟନ୍ତ ୪୭୩୪ଟି ନମୁନା ପରୀକ୍ଷା ହୋଇଛି। ତେବେ ଆରଏମଆରସିରେ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରିବା ସହିତ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ୍ ସାଇନ୍ସରେ ମଧ୍ୟ କୋଭିଡି ପରୀକ୍ଷା ଆରମ୍ଭ ହୋଇଛି। ତେଣୁ ଆଗାମୀ ଦିନରେ ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।