ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ । ୪ଦିନ ହେଲା ଲଗାତର ସଂକ୍ରମିତଙ୍କ ସଂଖ୍ୟା ଟପୁଛି ୧୫ ହଜାର ।

94

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣକୁ ଦେଖି ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି । ଦେଶର ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟ ମହାରାଷ୍ଟ୍ରରେ ଆରମ୍ଭ ହୋଇଯାଇଛି କରୋନା ସଂକ୍ରମଣର ଦ୍ୱିତୀୟ ଲହର । ଏନେଇ ଉଦ୍ଧବ ଠାକରେ ସରକାରକୁ ଚିଠି ଲେଖି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବଢ଼ୁଥିବା କରୋନା ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା କେନ୍ଦ୍ରୀୟ ଟିମର ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରିବା ସହ କରୋନା ଗାଇଡଲାଇନ ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି ।

ରାଜେଶ ଭୂଷଣ ଚିଠିରେ ଲେଖିଛନ୍ତି, ମହାରାଷ୍ଟ୍ରରେ ମହାମାରୀ କୋଭିଡ-୧୯ର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ପରୀକ୍ଷା କରିବା, ଚିହ୍ନଟ କରିବା, ଅଲଗା କରିବା ଓ ସେମାନଙ୍କୁ ସଂଗରୋଧରେ ରଖିବା ପାଇଁ ଅତି କମ୍ ପଦକ୍ଷେପ ନିଆଯାଉଛି । ଏଥିସହ ମହାରାଷ୍ଟ୍ରର ଉଭୟ ଗ୍ରାମାଂଚଳ ଓ ସହରାଂଚଳର ଲୋକମାନେ କୋଭିଡ୍ ମୁକାବିଲା ପାଇଁ ଥିବା କୌଣସି ନିୟମକୁ ଅନୁପାଳନ କରୁ ନାହାଁନ୍ତି । ବର୍ତମାନ ସମୟରେ କେତେକ ହସ୍ପିଟାଲରେ ଭର୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ମୃତ୍ୟୁ ହାର ବହୁତ ଅଧିକ ରହିଛି । ଏବେ ଜିନମ ସିକୁଏନସିଂ ପାଇଁ ଆକ୍ରାନ୍ତଙ୍କ ସାମ୍ପଲ କଲେକ୍ସନ କରିବା ସହ ଭଲ ଭାବରେ ଏହାର ଅନୁସନ୍ଧାନର ଆବଶ୍ୟକତା ରହିଛି ।

ମହାରାଷ୍ଟ୍ରରେ ବଢ଼ୁଥିବା ଦୃତ ସଂକ୍ରମଣ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଉଦ୍ଧବ ସରକାରକୁ କହିଛି କେନ୍ଦ୍ର । ଏପରିକି ସଂକ୍ରମଣ ରୋକିବା ପାଇଁ ୨୦୨୦ ଅଗଷ୍ଟ- ସେପ୍ଟେମ୍ବର ମାସରେ ଯେଉଁଭଳି ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲା ତାହା କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ମହାରାଷ୍ଟ୍ରରେ ଲଗାତାର ଭାବେ ୪ ଦିନ ହେଲା ୧୫ ହଜାର ଉପରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକି ଦେଶରେ ଦୈନିକ ଚିହ୍ନଟ ହେଉଥିବା ମୋଟ ଆକ୍ରାନ୍ତଙ୍କର ପ୍ରାୟ ୬୦ ପ୍ରତିଶତ । ମହାରାଷ୍ଟ୍ରରେ କମି ଆସୁଥିବା କରୋନା ସଂକ୍ରମଣ ପୁଣି ଥରେ କାହିଁକି ବଢ଼ିଲା । ଏନେଇ ଚମକାଇ ଦେବା ଭଳି ତଥ୍ୟ ଦେଇଛନ୍ତି କେନ୍ଦ୍ରୀୟ ଟିମ । କହିଛନ୍ତିି ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବା ପାଇଁ ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ବେପରୁଆ ମନୋଭାବ ଦାୟୀ । ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବାର କାରଣ ଉପରେ ନଜର ପକାନ୍ତୁ :-
– କମ କଂଟାକ୍ଟ ଟ୍ରେସ୍
– କମ୍ ଟେଷ୍ଟ
– ରୋଗୀ ବିଳମ୍ବରେ ହସ୍ପିଟାଲକୁ ଆସିବା
– ବହୁ ସଂଖ୍ୟାରେ ରୋଗୀ ହୋମ ଆଇସୋଲେସନରେ ରହିବା
– ହୋମ ଆଇସୋଲେସନରେ ରହୁଥିବା ରୋଗୀ ଠିକ୍ରେ ନିୟମ ନମାନିବା
– ଲୋକମାନେ କୋଭିଡ ନିୟମକୁ ଅନୁପାଳନ ନକରିବା

ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ନୂଆ କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ସ୍ୱାଭାବିକ ହୋଇ ଆସୁଥିବା ଜନଜୀବନ ଉପରେ ପୁଣି ଥରେ କଟକଣା ଲଗାଇଛନ୍ତି ସରକାର । ମହାରାଷ୍ଟ୍ରର ନୂଆ ଗାଇଡଲାଇନ..

ସମସ୍ତ ସାମାଜିକ, ଧାର୍ମିକ ଓ ରାଜନୈତିକ ସଭା ବାତିଲ
– ବିବାହ କାର୍ଯ୍ୟରେ ୫୦ ଜଣରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ
– ଅନ୍ତେଷ୍ଟି କ୍ରିୟାରେ ୨୦ ଜଣ ସାମିଲ ହୋଇପାରିବେ
– ସ୍ୱାସ୍ଥ୍ୟ ସେବା ବ୍ୟତିତ ଅନ୍ୟ ସଂସ୍ଥାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ପଡିବ
– ଯେଉଁ ସିନେମା ହଲ, ହୋଟେଲ, ରେଷ୍ଟୁରାଂଟ ନିୟମ ଉଲଘଂନ କରିବେ ସେଗୁଡିକ ବନ୍ଦ କରାଯିବ
– ସାମାଜିକ ଦୂରତା ମାନିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
– ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ହାତରେ ଷ୍ଟାମ୍ପ ମରାଯିବ
– ୧୪ ଦିନ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ଉପରେ ନଜର ରଖିବ ଏକ ସ୍ୱତନ୍ତ୍ର ଟିମ୍

ମହାରାଷ୍ଟ୍ର ପରେ ଚିନ୍ତା ବଢାଇଛି ଗୁଜରାଟ । କେବଳ ଗୁଜରାଟ କଥା ଯଦି ଦେଖିବା, ସୋମବାର ୮୯୦ଟି ନୂଆ ସକ୍ରିୟ ମାମଲା ଆସିବା ପରେ ମୋଟ ସଂକ୍ରମଣ ସଂଖ୍ୟା ପହଂଚିଛି ୨ଲକ୍ଷ ୭୯ହଜାର ୯୭ରେ । ଆଉ ସବୁଠୁ ଅଧିକ ସଂକ୍ରମିତ ହୋଇଛନ୍ତି ସୁରତରେ । ଗତ ୨୪ ଘଂଟା ମଧ୍ୟରେ ସୁରତରେ ୨୬୨ଜଣ, ଅହମ୍ମଦାବାଦରେ ୨୦୯, ଭଦୋଦରାରେ ୯୭ ଏବଂ ରାଜକୋଟରେ ୯୫ଜଣ ସଂକ୍ରମିତ ହୋଇଛନ୍ତି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଏହି ୪ଟି ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ଅହମ୍ମଦାବାଦ, ସୁରତ, ଭଦୋଦରା, ଏବଂ ରାଜକୋଟରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ଏହା କାର୍ଯ୍ୟକାରୀ ହେବ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।