ନିଳିଆବାଗ ଅଂଚଳକୁ କଣ୍ଟେନମେଂଟ ଜୋନ ଘୋଷଣା। ଗତକାଲି ବାଲେଶ୍ୱରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ନିଳିଆବାଗ ଅଂଚଳର ସମସ୍ତ ରାସ୍ତା ସିଲ୍ କଲା ପ୍ରଶାସନ

444

କନକ ବ୍ୟୁରୋ: ବାଲେଶ୍ୱରର ନିଳିଆବାଗକୁ କଂଟେନମେଂଟ ଅଂଚଳ ଘୋଷଣା କଲା ପ୍ରଶାସନ । ଏହା ସହିତ ଏହି ଅଂଚଳକୁ ରହିଥିବା ୮ଟି ପ୍ରବେଶ ପଥକୁ ବି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଗତକାଲି ଏହି ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କ ହୋଇପଡିଛି ପ୍ରଶାସନ । ଆକ୍ରାନ୍ତ ଜଣଙ୍କର ବୟସ ୫୮ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଁଚିଛି ।

ଆକ୍ରାନ୍ତ ବ୍ୟକ୍ତି ଜଣକ ନିଳିଆବାଗ ଅଂଚଳର ବୋଲି ଜଣାପଡିଛି । ତେଣୁ ଏହି ଅଂଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଛି ପୋଲିସ । ଚିଡିଆପୋଲ ନିକଟରୁ ରାଣୀପାଟଣା ଛକ ଏବଂ ଶ୍ରୀନିକ୍ସ କଲେଜ ନିକଟସ୍ଥ ମହାନାଳ ଯାଏ ସିଲ କରାଯାଇଛି । ଫଳରେ ଏହି ଅଂଚଳକୁ କେହି ଯାଇପାରିବେ ନାହିଁ କିମ୍ବା ବାହାରକୁ କେହି ଆସିପାରିବେ ନାହିଁ ।

ବାଲେଶ୍ୱର ଜିଲ୍ଲାରୁ  ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଡୋଶୀ ଭଦ୍ରକ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବାଲେଶ୍ୱରରୁ ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟର ୧୦ଟି ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି । ପୂର୍ବରୁ ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।