ଅନୁଗୁଳ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ : ଜେଲରେ ୨୮ କଏଦୀ କରୋନା ଆକ୍ରାନ୍ତ; ୩ ଦିନ ତଳେ କାରାଗାରର ଜଣେ କଏଦୀ ହୋଇଥିଲେ ସଂକ୍ରମିତ

ପରୀକ୍ଷା ପରେ ଅନ୍ୟ କଏଦୀ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା

147

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗାଁଠାରୁ ସହର ସବୁ ସ୍ଥାନରେ ଏହି ଅଦୃଶ୍ୟ ଭୂତାଣୁ ତାର ସ୍ଥିତି ଜାହିର କରୁଛି । ଏହି ସଂକ୍ରମଣରୁ ବାଦ ପଡ଼ିନି ଅନୁଗୁଳ ଜେଲ । ଜେଲରେ ୨୮ ଜଣ ବିଚାରଧୀନ କଏଦୀ କରୋନା ପଜିଟିଭ ଥିବା ଜେଲ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ୩ ଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ପରବର୍ତୀ ସମୟରେ ଅନ୍ୟମାନଙ୍କ ପରୀକ୍ଷା କରାଯାଇଥିବା ବେଳେ ୨୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କଏଦୀଙ୍କ ଚିକିତ୍ସା ପାଇଁ ଗତକାଲି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଅନୁଗୁଳ କାରାଗାରରେ ପହଂଚିଥିଲେ । ସେମାନେ ଆକ୍ରାନ୍ତ କଏଦୀମାନଙ୍କୁ ମେଡିସିନ କିଟ ଦେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରିଛନ୍ତି ।

ଆକ୍ରାନ୍ତମାନଙ୍କୁ ଏକ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଏହି କାରାଗାରରେ ପ୍ରାୟ ୩ଶହରୁ ଅଧିକ ବିଚାରଧୀନ କଏଦୀ ସଜା କାଟୁଛନ୍ତି । ସେପଟେ ଅନୁଗୁଳ ସଦର ଥାନରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଥାନାରେ ୧୧ଜଣ କର୍ମଚାରୀ କୋଭିଡ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।