ଦେଶରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢାଇଲେଣି ୧୦ ରାଜ୍ୟ । ୫ ରାଜ୍ୟରୁ ଦିଲ୍ଲୀ ଆସୁଥିଲେ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।

194

କନକ ବ୍ୟୁରୋ: ଦେଶରେ ଚିନ୍ତା ବଢାଇଲାଣି କରୋନାର ଦ୍ୱିତୀୟ ଲହର । ପ୍ରାୟ ୧୬ଟି ରାଜ୍ୟରେ କରୋନାର ଏହି ଲହର ଦେଖାଦେଇଥିବା ବେଳେ, ୫ ରାଜ୍ୟରେ ସବୁଠାରୁ ଅଧିକ ହୋଇଛି ସଂକ୍ରମଣ । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଂଜାବରେ ସଂକ୍ରମଣ ହାର ସବୁଠାରୁ ଦ୍ରୁତ ରହିଛି । ଏପରି ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଜାରି କରିଛନ୍ତି କଡା କଟକଣା । ଯେଉଁମାନେ ଅଧିକ ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି , ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି କୋଭିଡ୍ ନେଗେଟିଭ୍ ରିପୋର୍ଟ।

ଦିଲ୍ଲୀ ସରକାର ଏବେ ୫ ରାଜ୍ୟରୁ ଦିଲ୍ଲୀ ଆସୁଥିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ଏହି ୫ ରାଜ୍ୟ ହେଉଛି ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ , ପଂଜାବ । ଏହି ସବୁ ରାଜ୍ୟରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୮୬ ପ୍ରତିଶତ ସଂକ୍ରମଣ ବଢିଥିବା ଦେଖିବାକୁ ମିଳିଛି । ସେଥିପାଇଁ ଏହି ୫ ରାଜ୍ୟରୁ ଦେଶର ରାଜଧାନୀ ଦିଲ୍ଲୀକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଏପରି କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର । ଫେବ୍ରୁଆରୀ ୨୬ ତାରିଖ ମଧ୍ୟରାତ୍ରିରୁ ମାର୍ଚ ୧୫ ତାରିଖ ଯାଏଁ ଜାରି ରହିବ ଏ କଟକଣା ।

ଗତ କିଛି ସପ୍ତାହରେ ମହାରାଷ୍ଟ୍ର ଏବଂ କେରଳରେ ବଢିଥିବା ସଂକ୍ରମଣ କାରଣରୁ ଦେଶରେ ଅଧିକ ବଢିଛି ଆକ୍ଟିଭ୍ ମାମଲା । କେବଳ ଏହି ଦୁଇ ରାଜ୍ୟର ସଂକ୍ରମଣ , ବର୍ତମାନ ଦେଶର ମୋଟ୍ ସଂକ୍ରମଣର ୭୫ ପ୍ରତିଶତ ହେବ ବୋଲି ରିପୋର୍ଟ କହୁଛି । ଏପରି ସ୍ଥିତିକୁ ନେଇ ଅଧିକ ସଜାଗ ହେଲେଣି ଅନ୍ୟ ରାଜ୍ୟ ଗୁଡିକ…

– ଦିଲ୍ଲୀ ପରି କର୍ଣ୍ଣାଟକ ସରକାରଙ୍କ ପଦକ୍ଷେପ
– କର୍ଣ୍ଣାଟକକୁ ଯିବା ଆସିବା ପାଇଁ ଆବଶ୍ୟକ କୋଭିଡ୍ ନେଗେଟିଭ୍ ରିପୋର୍ଟ
– ବସ, ଟ୍ରେନ୍ ଓ ରେଳ ଯାତ୍ରୀଙ୍କ ପାଇଁ ଆବଶ୍ୟକ ନେଗେଟିଭ୍ ରିପୋର୍ଟ
– ଯାତ୍ରୀଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ କଟକଣା
– କେରଳ, ଗୋଆ, ଗୁଜରାଟ, ଦିଲ୍ଲୀ-ଏନସିଆର, ରାଜସ୍ଥାନରୁ ଆସୁଥିବା ଯାତ୍ରୀଙ୍କୁ ଦେଖାଇବାକୁ ହେବ ଆରଟିପିସିଆର      ଟେଷ୍ଟର ନେଗେଟିଭ୍ ରିପୋର୍ଟ
– ଯାତ୍ରୀଙ୍କ ଠାରେ ଲକ୍ଷଣ ଦେଖାଦେଲେ କରାଯିବ ଆଂଟିଜେନ୍ ଟେଷ୍ଟ
– କେରଳରୁ ପୁଣେକୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ
– ଉତ୍ତରାଖଣ୍ଡ ସରକାରଙ୍କ କରୋନା କଟକଣା
– କରୋନା ସଂକ୍ରମିତ ୫ ରାଜ୍ୟରୁ ଆସୁଥିଲେ ଆବଶ୍ୟକ ନେଗେଟିଭ୍ ରିପୋର୍ଟ
– ହରିଦ୍ୱାର କୁମ୍ଭମେଳା ପାଇଁ ପ୍ରଶାସନର କଡା କଟକଣା
– କୁମ୍ଭମେଳା ପାଇଁ ଆସୁଥିଲେ ସାଙ୍ଗରେ ଆଣିବାକୁ ହେବ କରୋନା ନେଗେଟିଭ୍ ରିପୋର୍ଟ

ଦେଶର ପ୍ରାୟ ୧୬ଟି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟ ବଢାଇଲାଣି । ଏପରି ସମୟରେ ବେସାମରିକ ବିମାନ ଚଳାଚଳ ବିଭାଗ ମଧ୍ୟ ଜାରି କରିଛି ଗାଇଡଲାଇନ୍ । ଭାରତକୁ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା…

ଏୟାରସୁବିଧା ପୋର୍ଟାଲରେ ଅପଲୋଡ୍ କରିବାକୁ ହେବ ନେଗେଟିଭ୍ ରିପୋର୍ଟ
ଯାତ୍ରାର ୭୨ ଘଂଟା ଆଗରୁ ଆସିଥିବ ନେଗେଟିଭ୍ ରିପୋର୍ଟ
ବିମାନ ଆରୋହଣ ବେଳେ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ
ସବୁ ଯାତ୍ରୀଙ୍କୁ ଡାଉନଲୋଡ୍ କରିବାକୁ ହେବ ଆରୋଗ୍ୟ ସେତୁ ଆପ୍
ବ୍ରିଟେନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକାରୁ ଆସୁଥିଲେ ୧୪ ଦିନିଆ ସଂଗରୋଧ
୧୪ ଦିନ ପରେ ଲକ୍ଷଣ ଦେଖାନଗଲେ ଯିବାକୁ ମିଳିବ ଅନୁମତି
ଆମେରିକା, ୟୁରୋପ ଏବଂ ମଧ୍ୟପ୍ରାଚ୍ୟରୁ ଆସିଲେ କରାଇବାକୁ ହେବ କରୋନା ଟେଷ୍ଟ