ସୁରଟରେ ବିଗୁଡୁଛି ସ୍ଥିତି…ବନ୍ଦ ହେଉଛି ହୀରା କାରଖାନା । ଘରକୁ ଫେରୁଛନ୍ତି ୫୦ରୁ ୭୦ ପ୍ରତିଶତ ଶ୍ରମିକ, ବାଧ୍ୟ ହୋଇ କାରଖାନା ବନ୍ଦ କରୁଛନ୍ତି କର୍ତୃପକ୍ଷ ।

220

କନକ ବ୍ୟୁରୋ : ଦେଶରେ କରୋନା କାୟା ମେଲାଇଥିବା ବେଳେ ଗୁଜରାଟରେ ବି ଗମ୍ଭୀର ରହିଛି ପରିସ୍ଥିତି । ସୁରଟରେ ବି କରୋନା କିଛି କମ୍ ନାହିଁ । ଏହାର ପ୍ରକୋପ ବଢିବା ପରେ, ସୁରଟର ଡାଇମଣ୍ଡ ବ୍ୟବସାୟ ପ୍ରାୟ ବନ୍ଦ ହେବାକୁ ବସିଲାଣି । ଅଧାରୁ ଅଧିକ ଶ୍ରମିକ ଲକଡାଉନ ଡରରେ ଘରକୁ ଫେରି ଆସିଲେଣି । ଫଳରେ ବିନା ଶ୍ରମିକରେ କାରଖାନାରେ ତାଲା ପଡିବା ଅବସ୍ଥା ଆସିଗଲାଣି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଡାଇମଣ୍ଡ ବ୍ୟବସାୟୀ ।

ସୁରଟର ଡାଇମଣ୍ଡ ବଜାର ଉପରେ ପଡିଛି କରୋନା ପ୍ରଭାବ । କରୋନା ମାଡରେ ବନ୍ଦ ହୋଇଗଲାଣି ସୁରଟର ଅନେକ ଡାଇମଣ୍ଡ କାରଖାନା । ଏହାରି ଭିତରେ ଯେଉଁ କେତୋଟି ବି ଖୋଲିଛି, ସେଥିରେ ନାହାନ୍ତି ଅଧାରୁ ଅଧିକ କର୍ମଚାରୀ । ଦେଶରେ କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେବା ପରେ ଘରକୁ ଫେରି ଯାଇଛନ୍ତି କାରିଗର ଓ ଶ୍ରମିକ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଡାଇମଣ୍ଡ ବ୍ୟବସାୟୀ ।

ଗତବର୍ଷ ତାଲାବନ୍ଦ ଲାଗୁ ହେବା ପରେ ଦେଖା ଦେଇଥିବା କ୍ଷତିରୁ ବାହାରି ନାହାନ୍ତି ସୁରଟର ଡାଇମଣ୍ଡ ବ୍ୟବସାୟୀ । ଏଥିରୁ ମୁକୁଳିବାକୁ ଉଦ୍ୟମ କରୁଥିବା ବେଳେ କରୋନାର ଦ୍ୱିତୀୟ ଲହର ପୁଣି ମାଡ କଲାଣି । ବିନା ଶ୍ରମିକରେ କାମ ବି ହୋଇ ପାରିବନି । ବାରମ୍ୱାର ଲକଡାଉନକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ଡାଇମଣ୍ଡ ବ୍ୟବସାୟୀ । କରୋନାର ଦ୍ୱିତୀୟ ଲହର ଓ ଲକଡାଉନରେ ସୁରଟର ଡାଇମଣ୍ଡ ବ୍ୟବସାୟ ଏଥର ପୁଣି ବନ୍ଦ ହେବାକୁ ବସିଲାଣି । ସୁରଟରେ କରୋନା ବଢିବା ପରେ ବନ୍ଦ ହୋଇଗଲାଣି କାରଖାନା ।