ଦେଶରେ କାୟା ମେଲାଉଛି କରୋନା: ୩୨୪ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା; ମହାରାଷ୍ଟ୍ରରେ ସର୍ବାଧିକ…ରାଜସ୍ଥାନରେ ସମ୍ପୂର୍ଣ୍ଣ ତାଲାବନ୍ଦ

2,478

କନକ ବ୍ୟୁରୋ: ଦେଶରେ ଧୀରେ ଧୀରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଆଧାରରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୬୩ ରହିଛି । ଓଡିଶାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍  ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ଜଣ ବିଦେଶୀ ନାଗରିକ ରହିଛନ୍ତି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ରହିଛି । ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ପଂଜାବରେ ଜଣେ ଜଣେ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଅନ୍ୟପଟେ କରୋନାକୁ କାବୁ କରିବାକୁ ଦେଶବ୍ୟାପୀ ଜାରି ହୋଇଛି ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପି ଜନସାଧାରଣ ଜନତା କର୍ଫ୍ୟୁ ପାଳନ କରୁଛନ୍ତି । ନିଜେ ନିଜକୁ ଘର ଭିତରେ ବନ୍ଦୀ କରିଛନ୍ତି । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ଏହି ଜନତା କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୯ଟା ଯାଏଁ ଚାଲିବ । ଏହି ୧୪ ଘଂଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ବର୍ତ୍ତମାନ ସାମାଜିକ ଦୂରତା ହେଉଛି ସବୁଠାରୁ ବଡ ଅସ୍ତ୍ର । ଯଦି ସାରାଦେଶ ଏଥିରେ ସାମିଲ ହେବ ତେବେ ସମସ୍ତଙ୍କ ମଧ୍ୟରେ ଦୂରତା ବଢିବ ନିଶ୍ଚୟ । ଏବଂ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସମର୍ଥନ ଜଣାଇ ଆଗେଇ ଆସିଛନ୍ତି । ଦେଶର ବହୁ ବ୍ୟକ୍ତି ଏହି ବିଷମ ପରିସ୍ଥିତିରେ ମଧ୍ୟ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ ସନ୍ଧ୍ୟାରେ ଛାତ ଉପରେ ତାଳି ମାରି ଥାଳି ବଜାଇ ଧନ୍ୟବାଦ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।