କରୋନା କାରଣରୁ କୁକୁଡ଼ା ଖାଉନାହାନ୍ତି ଲୋକେ : ବିକ୍ରିରେ କ୍ଷତି କାରଣରୁ ୬ ହଜାର କୁକୁଡାଙ୍କୁ ଜିଅନ୍ତା ପୋତିଲେ ଚାଷୀ 

2,655

କରୋନା ଭୟ ଏବେ କୁକୁଡାମାନଙ୍କ ଉପରେ ଦାଉ ସାଧିବାରେ ଲାଗିଛି । କରୋନା ଭାଇରସ ଆମିଷ ଦ୍ରବ୍ୟରେ ବ୍ୟାପୁଥିବା ନେଇ ଗୁଜବ ପ୍ରଚାରିତ ହେବା ପରେ କର୍ଣ୍ଣାଟକର ବେଲାଗବି ଗାଁର ଲୋକେ ଚିକେନ୍ ଖାଇବା ଛାଡି ଦେଇଛନ୍ତି । ବଜାରରେ ମାଂସ ବିକ୍ରି ଆଶତୀତ ଭାବେ କମିବା ଯୋଗୁଁ କମ୍ପାନୀ ଚାଷୀମାନଙ୍କୁ ଦାନା ଯୋଗାଣ ବନ୍ଦ କରିଦେଇଛି। ଯାହା ଫଳରେ ବାଧ୍ୟ ହୋଇ ଚାଷୀମାନେ କମ ଦରରେ କୁକୁଡା ବିକ୍ରି କରୁଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମିମ୍ସ ମଧ୍ୟ ଭାଇରାଲ ହେଉଛି । ଏଭଳିକି କିଛି ସ୍ଥାନରେ ଚିକେନ୍ କେଜି ୧୦ ଟଙ୍କା ବିକ୍ରି ହେଉଥିବା ନେଇ ଫଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

ପୂର୍ବରୁ ଚିକେନ୍ ୨୦୦ ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି ହେଉଥିଲା କିନ୍ତୁ ଏବେ ୪୦ ରୁ ୫୦ ଟଙ୍କାରେ ବିକ୍ରି କରାଯାଉଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ଚାଷୀ କରୋନାକୁ ନେଇ ଏତେ ମାତ୍ରାରେ ଭୟଭୀତ ହୋଇପଡିଛନ୍ତି ଯେ, ସେ ନିଜ ୬ ହଜାର କୁକୁଡାଙ୍କୁ ଜୀଅନ୍ତା ପୋତିଦେଇଛନ୍ତି । ଏହି ଘଟଣା ବେଲାଗବିର ଗୋକାକ ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠାରେ ଜଣେ ଚାଷୀ ୬ ହଜାର କୁକୁଡ଼ା ଓ ଚିଆଁ ଏକ ଟ୍ରକରେ ଲଦି ଆଣି ବଡ଼ ଗାତରେ ଜିଅନ୍ତା ପୋତି ଦେଇଥିଲେ । ଚାଷୀ ନାଜିର ମାକଚନ୍ଦ୍ର କହିଛନ୍ତି, କରୋନା ଯୋଗୁଁ ଲୋକମାନେ ଚିକେନ୍ ଖାଇବା ବନ୍ଦ କରି ଦେଇଛନ୍ତି। ଯେଉଁଥିପାଇଁ ସେ ଚିକେନ୍ ବାବଦକୁ ୮ ରୁ ୧୦ ଟଙ୍କା ପାଉଛନ୍ତି । କରୋନା ଯୋଗୁଁ ତାଙ୍କୁ ପ୍ରାୟ ୨୦,୦୦୦ ଟଙ୍କାର କ୍ଷତି ସହିବାକୁ ପଡିଛି । ତେଣୁ ସେ କୁକୁଡାକୁ ମାଟିରେ ପୋତିଦେଲେ । ସୂଚନାନୁସାରେ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ ଚିକେନ୍ ଖାଇବା ଦ୍ୱାରା କରୋନା ଭାଇରସ୍ ହେଉଛି । ଏହି ଗୁଜବ ଯୋଗୁଁ ଲୋକମାନେ ଚିକେନ୍ ଖାଇବା ବନ୍ଦ କରିଦେଇଛନ୍ତି । ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବଜାରରେ କୁକୁଡ଼ା ମାଂସ ଚାହିଦା ହ୍ରାସ ପାଇଛି । ଏହି ଗୁଜବ ଦମନ କରିବା ପାଇଁ କର୍ଣ୍ଣାଟକ ସରକାର ନିକଟରେ ଏକ କାର୍ଯ୍ୟକ୍ରମରେ ଚିକେନ୍ ଖାଇବା ନେଇ ଅପିଲ୍ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ କି ଚିକେନ୍ ଖାଇଲେ କରୋନା ହୁଏ ନାହିଁ । ଏହା ସତ୍ତ୍ୱେ ଲୋକଙ୍କ ମନରେ ଭୟ ଅଛି ଏବଂ ଲୋକମାନେ ଚିକେନ୍ ଖାଇବାରୁ ଦୂରେଇ ରହୁଛନ୍ତି ।