କନକ ବ୍ୟୁରୋ: ଭାରତରେ ଦୁଇ ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଦିଲ୍ଲୀ ଆସିଥିଲେ ଏବଂ ଆଉ ଜଣେ ଦୁବାଇରୁ ତେଲେଙ୍ଗାନା ଆସିଥିଲେ । ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏଥିସହ ବାହାରୁ ଆସୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ସେ କହିଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ଦିଲ୍ଲୀର ଏହି ବ୍ୟକ୍ତି ଜଣଙ୍କ ନିକଟରେ ଇଟାଲୀ ଯାଇଥିଲେ । ସେହିପରି ତେଲେଙ୍ଗାନା ରୋଗୀ ଜଣଙ୍କ ଦୁବାଇ ଯାଇଥିଲେ । ସେଠାରୁ ଫେରିବା ପରେ ଉଭୟଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ପରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଉଭୟଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିିକିତ୍ସା କରାଯାଉଛି ।

Advertisment

ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ୨୪ ଘଂଟିଆ ହେଲପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ପୂର୍ବରୁ ଚୀନର ଉହାନରୁ ଫେରିଥିବା ୪ ଜଣ କେରଳ ଛାତ୍ରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୩ ହଜାର ୨୨୨ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପଜିଟିଭି ରିପୋର୍ଟ ଆସିଥିବା ବେଳେ ୨୩ ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ରିପୋର୍ଟ ଆସିନାହିଁ । ପାଂଚ ଜଣଙ୍କ ମଧ୍ୟରୁ ୩ ଜଣ କେରଳର ଚିହ୍ନଟ ହୋଇଥିବା ବେଳେ ଚିକିତ୍ସା ପରେ ଘରକୁ ସୁସ୍ଥ ହୋଇଛନ୍ତି । ସେହିପରି କରୋନା ଆକ୍ରାନ୍ତ ଦେଶରୁ ଫେରିଥିବା ୨୫ ହଜାର ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ସେମାନଙ୍କୁ ଡିଷ୍ଟ୍ରିକ ସର୍ଭେଲାନ୍ସ ଅଫିସର ନିୟମିତ ଅନୁଧ୍ୟାନ କରୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେପଟେ, କରୋନା ଚୀନରୁ ଏବେ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଯାଇଛି । ବର୍ତମାନ ସୁଦ୍ଧା କରୋନା ଭୂତାଣୁ ବିଶ୍ୱରେ ୩ ହଜାରରୁ ଅଧିକ ବ୍ୟକ୍ତିଙ୍କ ଜୀବନ ନେଇ ସାରିଲାଣି । ମହାମାରୀ ପାଲଟିଥିଲା କରୋନା ବିଶ୍ୱ ଅର୍ଥନୀତି ପାଇଁ ବଡ ବିପଦ ଭାବେ ଉଭା ହୋଇଛି । ୨୦୦୮ର ମାନ୍ଦାବସ୍ଥା ଭଳି ପଡିବ ଏହାର ପ୍ରଭାବ । ବିଶ୍ୱସ୍ତରୀୟ ଓଇସିଡି ଆକଳନ କରିଛି, କରୋନା ପ୍ରଭାବରେ ପୁଣି ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡିବ । ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ସିଧା ଯୋଗାଣ ଓ ଚାହିଦାକୁ ପ୍ରଭାବିତ କରିଛି । ଏହି ସ୍ଥିତି ଜାରି ରହିଲେ, ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ହାର ୨.୪ ପ୍ରତିଶତ ନିମ୍ନ ସ୍ତରକୁ ତଳକୁ ଖସି ଆସିବା ଆଶଙ୍କା ପ୍ରକାଶ ପାଇଛି ।

ସେହିପରି କରୋନା ପ୍ରଭାବ ଷ୍ଟକ ବଜାର ଉପରେ ମଧ୍ୟରେ ପଡିଛି । ସମ୍ଭାବ୍ୟ ବିପଦ ପରିସ୍ଥିତିର ମୁକାବିଲା ପାଇଁ ସବୁ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ପ୍ରସ୍ତୁତ ହୋଇସାରିଲେଣି । କରୋନାର ପ୍ରଭାବ ଭାରତର ଅର୍ଥନୀତି ଓ ବମ୍ବେ ଷ୍ଟକ ବଜାର ଉପରେ ପଡିଛି । ଗତ ସପ୍ତାହରେ ନିବେଶକମାନେ ୧୩ ଲକ୍ଷ କୋଟି ଟଙ୍କା ହରାଇଥିବା ସୂଚନା ମିଳିଛି । ଏପଟେ ଭାରତର ଉଦ୍ୟୋଗ ଜଗତ ପାଇଁ କଂଚା ମାଲର ଅଭାବ ବଡ ସମସ୍ୟା ସୃଷ୍ଟି କରିଛି । ଇଲେକ୍ଟୋନିକ୍ସ ଠାରୁ ଆରମ୍ଭ କରି ଔଷଧ ପାଇଁ ଆବଶ୍ୟକ କଂଚାମାଲ ଅଧାରୁ ଅଧିକ ଚୀନ ଠାରୁ ଭାରତ ଆମଦାନୀ କରୁଥିଲା । ଏବେ କରୋନା ଯୋଗୁଁ କଂଚାମାଲ ଆସି ପାରୁ ନାହିଁ । ସେପଟେ କରୋନା ଭୂତାଣୁ ୭୦ ଟି ଦେଶକୁ ବ୍ୟାପୀ ଥିବାରୁ ବହୁ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।