‘କରୋନା’କୁ ନେଇ ଓଡିଶାରେ କୋକୁଆ ଭୟ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହେଲା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏଣିକି ସ୍କୁଲ ପିଲାଙ୍କୁ ଥଣ୍ଡା, କାଶ ହେଲେ ଚିକିତ୍ସା ବ୍ୟବସ୍ଥା କରିବେ ଶିକ୍ଷକ

2,493

କନକ ବ୍ୟୁରୋ: କରୋନାକୁ ନେଇ ଓଡିଶାରେ ଭୟର ବାତାରଣ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନାକୁ ନେଇ ଗାଇଡଲାଇନ ଜାରି କରିଛି । ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ସ୍କୁଲ ପିଲାଙ୍କୁ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍କୁଲ ଶିକ୍ଷକ ପିଲାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା ବ୍ୟବସ୍ଥା କରିବେ ।  ସେପଟେ କଟକ ସ୍ଥିତ ଏସସିବିରେ ଚୀନ ଫେରନ୍ତା ଦୁଇ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ରକ୍ତ ଓ ଲାଳ ନମୂନା ସଂଗ୍ରହ କରାଯାଇ ପୁନେକୁ ପଠାଯାଇଥିବା ବେଳେ ଚଳିତ ସପ୍ତାହ ଶେଷ ସୁଦ୍ଧା ରିପୋର୍ଟ ଆସିପାରେ । ପୂର୍ବରୁ ଓଡିଶାର ପାଂଚ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନେଗେଟଭି ରିପୋର୍ଟ ଆସିଛି ।

ଅନ୍ୟପଟେ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ସ୍ୱସ୍ଥ୍ୟ ବିଭାଗ ଅଧିକାରୀଙ୍କ ଆଲୋଚନା । ଓଡିଶାରେ ବର୍ତମାନ ସୁଦ୍ଧା ୧୩ ଜଣ ଚାଇନା ଓ ଜଣେ ଥାଇଲାଣ୍ଡ ଲୋକଙ୍କ ସହ ସଂପର୍କରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏସସିବିରେ ଭର୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ଅନ୍ୟ ମାନଙ୍କୁ ହୋମ୍ ସର୍ଭିଲାନ୍ସରେ ରଖାଯାଇଛି । ୬ ଜଣଙ୍କ ନମୂନା ପଠା ଯାଇଥିଲା । ୪ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ୨ ଜଣଙ୍କ ରିପୋର୍ଟ ଆସିନାହିଁ । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ଶଯ୍ୟା ଓ ରାଜ୍ୟର ଗୋଟିଏ ମୁଖ୍ୟ ଡାକ୍ତରଖାନାରେ ୩୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍ ୱାର୍ଡ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ୪୧ଟି ବିମାନ ବନ୍ଦରକୁ କେନ୍ଦ୍ର ସରକାର ସ୍କ୍ରିନିଂ କରୁଛନ୍ତି । ଏଥିପାଇଁ ଥର୍ମାଲ କ୍ୟାମେରା ଲଗାଯାଇଛି । କଟକ ଏସସିବିରେ ବର୍ତମାନ କରୋନା ମୁକାବିଲା ପାଇଁ ୮୪ଟି ଶ ଯ୍ୟା ବ୍ୟବସ୍ଥା କରାଯାଇଛି । ଯାହାକୁ ଦେଢ ଶହକୁ ବୃଦ୍ଧି କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ।