ଓଡିଶାରେ ଆରମ୍ଭ ହେଲା କରୋନା ଟେଷ୍ଟ । ଭୁବନେଶ୍ୱର ଆରଏମଆରସିରେ ହେଉଛି କରୋନା ନମୂନା ପରୀକ୍ଷା

ମେଳିବାନ୍ଧି ହୋଲି ନ ଖେଳିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ

144

କନକ ବ୍ୟୁରୋ: ବଢୁଛି କରୋନା ଭୟ । ହୋଲିରେ ବଡ ସମାବେଶ ନକରିବାକୁ ସ୍ୱାସ୍ଥ୍ୟସଚିବଙ୍କ ଆହ୍ୱାନ । ଏପଟେ ରାଜ୍ୟରେ ୧୩୧ ଜଣ ସନ୍ଦିଗ୍ଧଙ୍କ ଉପରେ ରଖାଯାଇଛି ନଜର । ସେମାନଙ୍କୁ ହୋମ-କ୍ୱାରେଂଟାଇନ ଅର୍ଥାତ ଘରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଆଶ୍ୱସ୍ତିର ଖବର ହେଉଛି, ଓଡିଶାରେ କେହି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି । କିନ୍ତୁ ଆଗକୁ ହୋଲି ଆସୁଥିବାରୁ ଆଜି ସ୍ୱାସ୍ଥ୍ୟ ବିଭାଗ ଏନେଇ ସତର୍କବାଣୀ ଶୁଣାଇଛି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି, ହୋଲିରେ ହାତ ମିଳାନ୍ତୁ ନାହିଁ । କିମ୍ବା ଆଲିଙ୍ଗନ ବି କରନ୍ତୁ ନାହିଁ । ବଡ ସମାବେଶ କରି ହୋଲି ଖେଳିବାକୁ ବାରଣ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏହାସହ ଓଡିଶାରେ ଆରଏମସିରେ ଆରମ୍ଭ ହୋଇଛି କରୋନା ଚିକିତ୍ସା । ଭୁବନେଶ୍ୱର ସ୍ଥିତ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ରରେ କରୋନା ଭୂତାଣୁ ନେଇ ପରୀକ୍ଷା ଆରମ୍ଭ ହୋଇଛି । ଫଳରେ ଏଣିକି ଓଡିଶାର ନମୂନା ବାହାର ରାଜ୍ୟକୁ ଯିବାର କୌଣସି ଆବଶ୍ୟକତା ନାହିଁ ।

କରୋନାକୁ ନେଇ ସତର୍କ ରହିଛି ଗଂଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଛି ପ୍ରଶାସନ । ଏପରିକି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ସନ୍ଦେହରେ ଲୋକଙ୍କୁ ଏଥର ଏକାଠି ହୋଇ ହୋଲି ନଖେଳିବାକୁ ଅନୁରୋଧ କରିଛନ୍ତି ଗଂଜାମ ଜିଲ୍ଲାପାଳ । ସେପଟେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ , ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ସମସ୍ତ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ଏହା ସହିତ ସ୍କୁଲ ପିଲାମାନଙ୍କୁ ହାତ ଧୋଇବା, ମାସ୍କ କିଂବା ରୁମାଲ ବ୍ୟବହାର କରିବା ସହିତ ଭିଡ ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।