ଖଦିରେ ତିଆରି କରୁଛନ୍ତି ମାସ୍କ, ଜୀବନ ଜିଇଁବାର ରାହା ପାଇଛନ୍ତି ୬ ଯୁବତୀ ।

410

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ ସାରା ବିଶ୍ବ ଚିନ୍ତାରେ ଥିବାବେଳେ ଏହାରି ଭିତରେ ଜୀବନ ଜିଇଁବାର ରାହା ଖୋଜି ପାଇଛନ୍ତି ୬ ଜଣ ଯୁବତୀ । ସେମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ବା ପଛୁଆ ବର୍ଗର । ନିକଟରେ ନେଇଥିବା ତାଲିମକୁ ଆଧାର କରି ସେମାନେ ଆରମ୍ଭ କରିଛନ୍ତି ମାସ୍କ ସିଲେଇ କାର୍ଯ୍ୟ । ସଂପୂର୍ଣ୍ଣ ଖଦି କନାରେ ଇଲାଷ୍ଟିକ୍ ଲଗାଇ ସେମାନେ ମାସ୍କ ତିଆରି କରୁଛନ୍ତି । ବର୍ତ୍ତମାନ କୋଭିଡ୍-୧୯ ଭୂତାଣୁ ଆତଙ୍କ ଯୋଗୁଁ ବଜାରରେ ମାସ୍କ୍‌ର ନାହିଁ ନଥିବା ଚାହିଦା ଥିଲାବେଳେ ସେମାନେ ଏହାକୁ କମ୍ ଦରରେ ବିକ୍ରି କରି ଅର୍ଥ ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସମ୍ବଲପୁର ଜିଲ୍ଲା ରେଂଗାଲି ବ୍ଲକ୍‌ ଅନ୍ତର୍ଗତ ତଲାବିରାଠାରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନି ଏନ୍‌ଏଲ୍‌ସିର ଖଣି କାର୍ଯ୍ୟ ଯୋଗୁଁ ବିସ୍ଥାପିତ ହେବେ ବୁଧିଆପାଲି ଓ ଖିଣ୍ଡା ଗ୍ରାମବାସୀ। ଏହି ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କ ପାଇଁ ଏନ୍‌ଏଲ୍‌ସି ପକ୍ଷରୁ ଲାଣ୍ଡୁପାଲିରେ ନିର୍ମାଣ ହେଉଛି ପୁନର୍ବାସ ଓ ଥଇଥାନ କଲୋନି। ଉକ୍ତ ଦୁଇ ଗ୍ରାମର କିଛି ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏନ୍‌ଏଲ୍‌ସି ପକ୍ଷରୁ ରାଉରକେଲାସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରକୁ ପଠା ଯାଇଥିଲା । ଉକ୍ତ ଯୁବତୀମାନେ ସେଠାରେ ୪୫ ଦିନ ଧରି ସିଲେଇ ତାଲିମ ନେଇଥିଲେ । ସେଠାରୁ ଫେରିବା ପରେ ବର୍ତ୍ତମାନ କମ୍ପାନି ସେମାନଙ୍କୁ ୬ଟି ବିଦ୍ୟୁତ୍‌ ଚାଳିତ ସିଲେଇ ମେସିନ୍‌ ପ୍ରଦାନ କରିଛି । ଏକା ସାଂଗରେ ବହୁ ପରିମାଣର କନା କାଟିବା ପାଇଁ ଏକ ବିଦ୍ୟୁତ୍ ଚାଳିତ କଟର୍‌ କିଣା ହୋଇଛି । ଲାଣ୍ଡୁପାଲିସ୍ଥିତ ପୁନର୍ବାସ କଲୋନିର ଏକ ଗୃହରେ ଏହି ଯୁବତୀମାନେ ଗୁରୁବାରଠାରୁ ମାସ୍କ ସିଲେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥି ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଲାଗିବାକୁ ଥିବା କନା, ଇଲାଷ୍ଟିକ୍, ସୂତା ଆଦି ସାମଗ୍ରୀ କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଇଛି ।

ନୂଆ କାମ ଆରମ୍ଭ କରିଥିବା ୧୯ରୁ ୨୨ ବର୍ଷ ବୟସ୍କା ଏହି ଯୁବତୀମାନେ କରୋନା ବିପଦ ସମୟରେ ମାସ୍କ ଭଳି ଏକ ଅତ୍ୟାବଶ୍ୟକ ସାମଗ୍ରୀ ତିଆରି କରୁଥିବାରୁ ବେଶ ଖୁସି । ଏହାକୁ ସେମାନେ ୧୦ରୁ ୧୫ ଟଙ୍କା ମୂଲ୍ୟରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେମାନେ ଏକ କ୍ଷୁଦ୍ର ସୋସାଇଟି କରି ତା ଜରିଆରେ ଏହାକୁ ବିକ୍ରି କରିବେ । ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ୬ ଜଣ ମିଶି ଦିନକୁ ପ୍ରାୟ ୬୦୦ ମାସ୍କ ତିଆରି କରୁଥିଲାବେଳେ କିଛି ଦିନ କାମ କଲା ପରେ ଦୈନିକ ୧୨୦୦ ପର୍ଯ୍ୟନ୍ତ ମାସ୍କ ତିଆରି କରି ପାରିବେ ବୋଲି କହିଛନ୍ତି ୨୧ ବର୍ଷିୟା ପ୍ରମୋଦିନୀ ରାୟ ।

ପୂର୍ବରୁ ସେମାନେ ଘରେ ବେକାର ଥିଲେ । ଏବେ ସିଲେଇ ତାଲିମ ନେଇ ନିଜସ୍ବ କାମ ଆରମ୍ଭ କରିଥିବାରୁ ବେଶ ଖୁସି ବୋଲି କହିଛନ୍ତି ଆଉ ଜଣେ ଯୁବତୀ ରଂଜିତା ମୁଣ୍ଡା (୨୧) । ଦୁଇ ପଇସା ଉପାର୍ଜନ ସହ ସେମାନଙ୍କ ତିଆରି ମାସ୍କ ଲୋକଙ୍କ କାମରେ ଲାଗିଲେ ତାହା ସେମାନଙ୍କୁ ବେଶ ଆତ୍ମସନ୍ତୋଷ ଦେବ ବୋଲି ଡଲି ସାହୁ ପ୍ରକାଶ କରିଛନ୍ତି । ଏନ୍‌ଏଲ୍‌ସି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଏହି ଯୁବତୀମାନଙ୍କୁ ସମସ୍ତ କଞ୍ଚାମାଲ ଯୋଗାଇ ଦିଆଯିବ ଓ ବିକ୍ରି ଲବ୍‌ଧ ଅର୍ଥ ସେମାନେ ନିଜେ ନେବେ । ଭବିଷ୍ୟତରେ ସେମାନେ ନିଜ ସମ୍ବଳରେ ପୋଷାକପତ୍ର, ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଆଦି ସିଲେଇ କରିପାରିବେ ଓ ଏନଏଲ୍‌ସି ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଏହାର ଅଧିକାରୀ ପ୍ରତାପ ମହାରଣା କହିଛନ୍ତି । ଏହି ମାସ୍କ ସିଲେଇ କାମରେ ବୁଧିଆପାଲିର ରଂଜିତା ମୁଣ୍ଡା, ମୁନୁବାଇ ମୁଣ୍ଡା, ସରସ୍ବତୀ ମୁଣ୍ଡା, ଡଲି ସାହୁ ଏବଂ ନୂଆଖିଣ୍ଡାର ପ୍ରମୋଦିନୀ ରାୟ ଓ ଅନିତା ବସ୍‌ରା ପ୍ରମୁଖ ଲାଗିଛନ୍ତି ।