ଶ୍ରୀକ୍ଷେତ୍ର ଉପରେ କରୋନା ମାଡ: ପର୍ଯ୍ୟଟନ ଭିସା ବାତିଲ ପରେ ଅବସ୍ଥା ଗମ୍ଭୀର; ହ୍ରାସ ପାଇଲା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା, ଚାଲିଛି ବୁକିଂ କ୍ୟାନସଲ

ଘରକୁ ଫେରିବା ଅପେକ୍ଷାରେ ବିଦେଶୀ ପର୍ଯ୍ୟଟକ

430

କନକ ବ୍ୟୁରୋ: ଗତବର୍ଷ ଫନି ମାଡ଼, ଏବେ କରୋନା ମାଡ଼ । ଯାହାର ପ୍ରଭାବ ପଡ଼ିଛି ପର୍ଯ୍ୟଟନ ଉପରେ । ଫନି ବାତ୍ୟାରେ ପୁରୀ ହୋଟେଲ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ହୋଟେଲ୍ ଶିଳ୍ପ ଅଂଟା ସଳଖି ଛିଡ଼ା ହୋଇନଥିବା ବେଳେ ପଡ଼ିଛି କରୋନା ପ୍ରଭାବ । ଫଳରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା ହ୍ରାସ ପାଇଛି । ଏପଟେ କେନ୍ଦ୍ର ସରକାର ପର୍ଯ୍ୟଟନ ଭିସା ବାତିଲ କରିଥିବା ବେଳେ ମହାମାରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଓଡ଼ିଶା ସରକାର ।

ସାରା ବିଶ୍ୱକୁ କରୋନା ଭୟ ଘାରିଥିବା ବେଳେ ପ୍ରଭାବିତ ହୋଇଛି, ପର୍ଯ୍ୟଟନ କ୍ଷେତ୍ର ପୁରୀ । ଶୀତ ଓ ବସନ୍ତ ଋତୁରେ ହଜାର ହଜାର ବିଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି, ହେଲେ ଏବର୍ଷ ଖୁବ କମ୍ ସଂଖ୍ୟାର ବିଦେଶୀ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି । ପର୍ଯ୍ୟଟନ ଭିସା ବାତିଲ ହେଲା ପରେ ଅବସ୍ଥା ଆହୁରି ଗମ୍ଭୀର ହୋଇଛି । ପୂର୍ବରୁ ହୋଟେଲ୍ ବୁକିଂ କରିଥିବା ଅନେକ ପର୍ଯ୍ୟଟକ ଏବେ ବୁକିଂ କ୍ୟାନସଲ୍ କରୁଛନ୍ତି । ଆଉ ଯେଉଁ ବିଦେଶୀମାନେ ପୁରୀରେ ଅଟକି ରହିଛନ୍ତି, କିପରି ନିଜ ଦେଶକୁ ଫେରିବେ, ଚିନ୍ତାରେ ଦିନ କାଟୁଛନ୍ତି ।

ଓଡ଼ିଶା ହୋଟେଲ୍ ଆଣ୍ଡ ରେଷ୍ଟ୍ରୁରାଂଟ ଆସୋସିଏସନ୍ ଓ ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ ପର୍ଯ୍ୟଟନ ଶିଳ୍ପ ଉପରେ କରୋନାର ପ୍ରଭାବ ପଡ଼ିଛି । ଯେଉଁଭଳି ଭାବେ ବିଶ୍ୱବ୍ୟାପୀ କରୋନା ମାଡ଼ି ଚାଲିଛି, ତାହା ଜାରି ରହିଲେ ଆହୁରି ବଡ଼ ଧରଣର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି । ପୁରୀର ହୋଟେଲଗୁଡ଼ିକର ଥିବା ବିଦେଶୀମାନଙ୍କ ତଥ୍ୟ ସରକାରଙ୍କୁ ଦିଆଯାଉଛି । ପ୍ରତ୍ୟେକ ଦିନ ତଥ୍ୟ ଦେବା ପାଇଁ ହୋଟେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପର୍ଯ୍ୟଟନ ଅଧିôକାରୀ ।

ସତର୍କତା ପଦକ୍ଷେପ ଗ୍ରହଣ କରିବା ସହ ଯଦି କେହି ବିଦେଶୀ ପର୍ଯ୍ୟଟକ ପୁରୀକୁ ଆସନ୍ତି, ତେବେ ସେମାନଙ୍କ ସଂପୂର୍ଣ୍ଣ ତଥ୍ୟ ଜିଲ୍ଲା ପ୍ରଶାସନକୁ ଦେବା ପାଇଁ ହୋଟେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।