ତେଲ ବଜାର ଉପରେ କରୋନା ମାଡ: ରାଜ୍ୟରେ ଦିନକୁ ୫୫କୋଟିର ବିକ୍ରି ଠପ୍…ସରକାର ହରାଇଲେଣି ୪୦୦ କୋଟି ଟିକସ୍

1,028

କନକ ବ୍ୟୁରୋ: ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ବଜାର ଉପରେ କରୋନାର ଗୁରୁତର ପ୍ରଭାବ ପଡିଛି । ରାସ୍ତାରେ ଗାଡି ମଟର ଚାଲିବା ସଂଖ୍ୟା ଅତ୍ୟନ୍ତ ସୀମିତ ହୋଇଯାଇଥିବାରୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ବହୁମାତ୍ରାରେ କମିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସ୍ୱାଭାବିକ ଦିନ ଗୁଡିକରେ ରାଜ୍ୟରେ ଦୈନିକ ପ୍ରାୟ ୨୮ ଲକ୍ଷ ୨୯ ହଜାର ଲିଟର  ପେଟ୍ରୋଲ ଏବଂ ୮୩ ଲକ୍ଷ ୬୫ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ । ତେଣୁ ରାଜ୍ୟରେ ଦିନକୁ ପ୍ରାୟ ୨୦ କୋଟି ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ୫୫ କୋଟି ଟଙ୍କା ମୂଲ୍ୟର ଡିଜେଲ ବିକ୍ରି ହୋଇଥାଏ । ଅର୍ଥାତ୍ ଦିନକୁ ପାଖାପାଖି ୭୫କୋଟି ଟଙ୍କାର ତେଲ ବିକ୍ରି ହୋଇଥାଏ । କିନ୍ତୁ ଗତ ୨୨ ତାରିଖରୁ ରାଜ୍ୟରେ କରୋନା ପାଇଁ କଟକଣା ଆରମ୍ଭ ହୋଇଯାଇଛି ।

ସେବେଠାରୁ ସ୍ୱାଭାବିକ ଦିନ ଗୁଡିକ ତୁଳନାରେ  ଦୈନିକ ମାତ୍ର ୨୦ ପ୍ରତିଶତ ପେଟ୍ରୋଲ ଏବଂ ୩୦ ପ୍ରତିଶତ ଡିଜେଲ ବିକ୍ରି ହେଉଛି । ତେଣୁ ଏହି ୧୫ ଦିନ ଭିତରେ ରାଜ୍ୟରେ ଦୈନିକ ପାଖାପାଖି ୪ କୋଟି ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ୧୬ କୋଟି ଟଙ୍କା ମୂଲ୍ୟର ଡିଜେଲ ବିକ୍ରି ହେଉଛି ।  ଅନ୍ୟ ଅର୍ଥରେ ଦେଖିଲେ  ରାଜ୍ୟରେ ଦୈନିକ ୧୫.୫୧ କୋଟି ଟଙ୍କାର ପେଟ୍ରୋଲ ଏବଂ ୩୮.୭୪ କୋଟି ଟଙ୍କାର ଡିଜେଲ ବିକ୍ରି ଠପ୍ ହୋଇଯାଇଛି । ଅର୍ଥାତ୍ ଦିନକୁ ପ୍ରାୟ ୫୫କୋଟି ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ଡିଜେଲ ବିକ୍ରି ବନ୍ଦ ରହିଛି । ତେଣୁ ୧୫ ଦିନରେ  ରାଜ୍ୟରେ ପେଟ୍ରୋଲ ପମ୍ପ ଗୁଡିକ ପାଖାପାଖି ୮୨୫ କୋଟି ଟଙ୍କାର ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରିପାରିନାହାନ୍ତି ।