କ୍ରିକେଟରଙ୍କ ଉପରେ ପଡିଲା କରୋନା ପ୍ରଭାବ : କୋହଲିଙ୍କ ଠାରୁ ଆରମ୍ଭ କରି ଚହଲ ପର୍ଯ୍ୟନ୍ତ ସବୁ ପିନ୍ଧିଲେ ମାସ୍କ୍ ।

556

ସାରା ବିଶ୍ୱରେ କରୋନା ଭୁତାଣୁକୁ ନେଇ କୋକୁଆ ଭୟ ଲାଗିରହିଛି । ଲୋକମାନେ ଘରୁ ବାହାରିଲେ ସାଙ୍ଗରେ ସାନିଟାଇଜର୍ ଏବଂ ମୁହଁରେ ମାସ୍କ୍ ବାନ୍ଧି ବାହାରକୁ ବାହାରୁଛନ୍ତି । କରୋନା ଭୁତାଣୁରୁ ସତର୍କ ରହିବା ପାଇଁ ବିଭିନ୍ନ ସଚେତନମୂଳକ ବାର୍ତ୍ତା ଦିଆଯାଉଥିବା ବେଳେ କ୍ରିକେଟ୍ ଖେଳାଳୀଙ୍କ ମଧ୍ୟରେ ବି କରୋନାକୁ ନେଇ ସଚେତନତା ଦେଖିବାକୁ ମିଳିଛି । ମୁହଁରେ ମାସ୍କ୍ ଲଗାଇ ନିଜକୁ କରୋନାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି କ୍ରିକେଟର୍ । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲିଙ୍କୁ ଲକ୍ଷ୍ନୌର ଓମୋସି ଏୟାରପୋର୍ଟରେ ମାସ୍କ୍ ଲଗାଇଥିବାର ଦେଖାଯାଇଥିଲା । ସେ ସିରିଜ୍ ର ଦ୍ୱିତୀୟ ୱାନଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ପାଇଁ ଟିମ୍ ସହିତ ଏଠାରେ ପହଁଚିଥିଲେ । କିନ୍ତୁ ପରମୁହୂର୍ତ୍ତରେ କରୋନା କାରଣରୁ ଶେଷ ୨ ଟି ମ୍ୟାଚ୍ କୁ ରଦ୍ଦ କରିଦିଆଯାଇଥିଲା ।

ସିରିଜ୍ ମ୍ୟାଚ୍ ପାଇଁ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ଲକ୍ଷ୍ନୌ ପହଁଚିଥିଲେ କିନ୍ତୁ କରୋନା ଭାଇରସ୍ କାରଣରୁ ସିରିଜ୍ ର ଶେଷ ୨ ମ୍ୟାଚ୍ କୁ ରଦ୍ଦ କରାଯାଇଥିଲା । ସରକାରୀ ନିର୍ଦ୍ଦେଶ ଅନୁସାରେ , ପ୍ରଥମେ ଏହି ମ୍ୟାଚ୍ କୁ ଖାଲି ଷ୍ଟାଡିୟମ୍ ରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଭୟଙ୍କର ମହାମାରୀ କାରଣରୁ ସରକାର ଖେଳ ପ୍ରତିଯୋଗୀତା ସବୁକୁ ଦର୍ଶକଙ୍କ ପାଇଁ ବନ୍ଦ ରଖିବାକୁ ନିର୍ଣ୍ଣୟ ନେଇଛନ୍ତି ।

ଏହା ଦ୍ୱିତୀୟ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ ଯାହା କରୋନା କାରଣରୁ ରଦ୍ଦ ହୋଇଛି । ଏହା ପୂର୍ବରୁ ମ୍ୟାଚ୍ ପାଇଁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ଇଂଲଣ୍ଡ ଦଳକୁ ମଧ୍ୟ ଯାତ୍ରା ରଦ୍ଦ କରିବାକୁ ପଡିଥିଲା । ଇଂଲଣ୍ଡ ଖେଳାଳୀ ପାକିସ୍ତାନ ସୁପର୍ ଲିଗ୍ କୁ ଅଧାରୁ ଛାଡି ଘରମୁହାଁ ହୋଇଥିଲେ ।

ଦକ୍ଷିଣ ଆଫ୍ରିକା ଟିମ୍ ର ବୋଲର୍ ଫାଫ୍ ଡୁ ପ୍ଲୋସିସ୍ , ଭାରତୀୟ ଓପନର୍ ଲୋକେଶ୍ ରାହୁଲ୍ , ଏୟାରପୋର୍ଟରେ ୟୁଜବେନ୍ଦ୍ର ଚହଲ ମଧ୍ୟ ମୁହଁରେ ମାସ୍କ୍ ଲଗାଇଥିବା ନଜର ଆସିଥିଲେ । ଚହଲ ପୂର୍ବରୁ ବି ସୋସିଆଲ୍ ମିଡିଆରେ ମାସ୍କ ଲଗା ଏକ ଫଟୋ ସେୟାର୍ କରି ଲୋକଙ୍କୁ ସଚେତନମୂଳକ ବାର୍ତ୍ତା ଦେଇଥିଲେ । ଟିମ୍ ଇଣ୍ଡିଆ ସମେତ ଏୟାରପୋର୍ଟରେ ଉପସ୍ଥିତ ସୁରକ୍ଷାକର୍ମୀ ମଧ୍ୟ ମାସ୍କ୍ ପିନ୍ଧିଥିବାର ନଜର ଆସିଥିଲେ ।