ଚୀନରେ କରୋନା, ତାଳଚେରରେ ପ୍ରଭାବ । ଏଫସିଆଇ ସାର କାରଖନାର ପୁନଃଉଦ୍ଧାର କାମରେ ବାଧା । ଆସୁନାହାନ୍ତି କର୍ମଚାରୀ

ଚୀନର ଇଞ୍ଜିନିୟରିଂ ସଂସ୍ଥା ହାତକୁ ନେଇଛି କାମ

1,377

କନକ ବ୍ୟୁରୋ: ଚୀନରେ କରୋନା ଆତଙ୍କ । ତାଳଚେରରେ ସାର କାରଖାନା ପ୍ରଭାବିତ । ତାଳଚେର ଏଫ୍ସିଆଇ ସାର କାରଖାନାର ପୁନଃଉଦ୍ଧାର କାମ ହାତକୁ ନେଇଥିଲା ଚୀନର ଉହାନ ସ୍ଥିତ ଏକ ଇଂଜିନିୟରିଂ ସଂସ୍ଥା । ଯାହାକୁ ନେଇ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ୧୮ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ସାର କାରଖାନାର ବେସିକ ଡିଜାଇନ୍ ଠାରୁ ଆରମ୍ଭ କରି ପ୍ରଡକ୍ସନ ପର୍ଯ୍ୟନ୍ତ ସମସ୍ତ କାମ ଚୀନ ଉହାନ ସ୍ଥିତ ଇଂଜିନିୟରିଂ ସଂସ୍ଥା କରିବ ବୋଲି ଚୁକ୍ତିରେ ସ୍ୱାକ୍ଷର ହୋଇଛି । ଏଥିପାଇଁ ଉହାନର ୭୦୦ କର୍ମାଚାରୀ ଆସିବାର ସ୍ଥିର ହୋଇଥିଲା ।

ହେଲେ ଉହାନରେ କରୋନା ଭୂତାଣୁ କାରଣରୁ ସ୍ଥିତି ସଙ୍ଗୀନ ହେବା କାରଣରୁ ସେଠାକାର କର୍ମଚାରୀ ତାଲଚେର ସ୍ଥିତ ଏଫ୍ସିଆଇ ସାର କାରଖାନା ନିର୍ଦ୍ଧାରିତ ସମୟରେ ଆସି କାମରେ ଯୋଗ ଦେଇ ପାରି ନାହାଁନ୍ତି । ଫଳରେ ସାର କାରଖାନାର ପୁନଃଉଦ୍ଧାର କାମ ସଠିକ୍ ସମୟ ଭିତରେ ହୋଇପାରିବ କି ନାହିଁ, ସେ ନେଇ ଆଶଙ୍କା ଦେଖାଦେଇଛି ।

୨୦୨୩ ସୁଦ୍ଧା ଚାଇନିଜ୍ ଟେକ୍ନୋଲୋଜି ଜରିଆରେ ସାର କାରଖାନା କାର୍ଯ୍ୟକ୍ଷମ କରାଯିବା ନେଇ ଯୋଜନା କରାଯାଇଥିଲା । ସେପଟେ ଏଫସିଆଇ ପ୍ରୋଜେକ୍ଟ ଦାୟିତ୍ୱରେ ଥିବା କର୍ତୃପକ୍ଷ କହିଛନ୍ତି ବର୍ତମାନ ମାଟି ପରୀକ୍ଷଣ କରାଯାଉଛି । ସଠିକ୍ ସମୟରେ କାମକୁ ତ୍ୱରାନ୍ୱିତ କରାଯିବ ଏବଂ ଚୀନ କର୍ମଚାରୀ ସେଠାରେ ରହି ବେସିକ ଡିଜାଇନ କରିପାରିବେ ବୋଲି ସେ ମତ ଦେଇଛନ୍ତି ।