ତାଲବନ୍ଦ ବଢାଇଲା ଦାଦନ ଶ୍ରମିକଙ୍କ ଦୁଃଖ । ଚାଲି ଚାଲି ପରିବାର ସହ ଘରକୁ ଫେରୁଛନ୍ତି ଲୋକେ । ଦିଲ୍ଲୀ-ୟୁପି ସୀମାରୁ ଆସିଲା ଅସମ୍ଭାଳ ଭିଡର ଚିତ୍ର । ଫସିଥିବା ଲୋକଙ୍କ ପାଇଁ ଯୋଗୀ ସରକାର ଚଳାଇଲେ ହଜାରେ ବସ୍ ।

563

କନକ ବ୍ୟୁରୋ: ଟ୍ରେନ, ବସ ଓ ଗାଡି ମୋଟର ଚଳାଚଳ କରୁନଥିବାରୁ ଏମାନେ ଚାଲିଚାଲି ମାଇଲ ମାଇଲ ବାଟ ଅତିକ୍ରମ କରୁଥିବା ଖବର ବିଭିନ୍ନ ରାଜ୍ୟରୁ ଆସିବାରେ ଲାଗିଛି । କରୋନା ସଂକ୍ରମଣର ଭୟ ଓ କାମ ବନ୍ଦ ପରେ ଘରକୁ ଫେରିବା ପାଇଁ ଦାଦନ ଶ୍ରମିକଙ୍କ ଭିଡ । ଦିଲ୍ଲୀ ସୀମାରେ ଥିବା ଗାଜିପୁରର ଏହି ଦୃଶ୍ୟକୁ ଦେଖନ୍ତୁ । ହଜାର ହଜାର ଶ୍ରମିକ ଦିଲ୍ଲୀ ଛାଡି ଘରକୁ ଫେରିବାକୁ ବାହାରିଛନ୍ତି । ସେପଟେ ଦିଲ୍ଲୀ ଗାଜିଆବାଦର ୟୁପି ଗେଟ ପାଖରେ ମଧ୍ୟ ଅସମ୍ଭାଳ ଭିଡ । ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ୟୁପି ସୀମାରେ ଅଟକାଇଛି ପୁଲିସ ।

ତାଲାବନ୍ଦ ଭିତରେ ଦିଲ୍ଲୀରେ କାମ ମିଳୁନାହିଁ । ଘରୁ ବାହାରିବା ମୁସ୍କିଲ, ରହିବା ଖାଇବା ଅସୁବିଧା ହେଉଛି । ତା ଉପରେ ସଂକ୍ରମଣର ଭୟ ସମସ୍ତଙ୍କୁ ଭୂତ ଭଳି ଗୋଡାଉଛି । ତେଣୁ ଆରମ୍ଭ ହୋଇଛି ଦିଲ୍ଲୀରେ ରହୁଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ଘର ବାହୁଡା । ଖବର ପାଇ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଭେଟିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟା । ଦିଲ୍ଲୀ ସରକାର ସବୁ ବ୍ୟବସ୍ଥା କରିଛନ୍ତି, ତେଣୁ ସଂକ୍ରମଣ ଭୟର ଜଟିଳ ସ୍ଥିତିରେ ଘରକୁ ନଯିବା ପାଇଁ ସେ ବୁଝାଇଥିଲେ

ପୁଲିସ କଟକଣା ସତ୍ୱେ ଦିଲ୍ଲୀ ଓ ହରିୟାଣାରୁ ଶ୍ରମିକଙ୍କ ପଳାୟନ କମିନାହିଁ । ସ୍ଥିତି ଦେଖି ପଡୋଶୀ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ୧ ହଜାର ବସର ବ୍ୟବସ୍ଥା କରିଛନ୍ତି ୟୁପି ସରକାର । ସେହିପରି ଦିଲ୍ଲୀ ସରକାର ଶ୍ରମିକଙ୍କ ଘରକୁ ପଠାଇବା ପାଇଁ ୧୦୦ ବସ ଚଳାଚଳ ଆରମ୍ଭ କରିଛନ୍ତି । ଗାଜିଆବାଦରେ ବସ ପହଂଚିବା ପରେ ସଂଖ୍ୟାଧିକ ଲୋକ ବସରେ ଚଢିଥିଲେ । ଘରକୁ ଯିବାକୁ ଲୋକଙ୍କ ବ୍ୟାକୁଳତା ଦେଖିଲେ ଲାଗୁଥିଲା-ଯାହା ହବ ଦେଖାଯିବ, ଆଗ ଘରେ ପହଂଚିବା ଦରକାର ।

କେବଳ ଦିଲ୍ଲୀ-ୟୁପି ସୀମା ରାସ୍ତ ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଛି ଦାଦନ ଶ୍ରମିକଙ୍କ ଘର ବାହୁଡା ଦୃଶ୍ୟ । ଦିଲ୍ଲୀ-ନଏଡା, ଗ୍ରେଟର ନଏଡା, ଗୁରୁଗ୍ରାମ ରାସ୍ତାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଦିଲ୍ଲୀ-ଫରିଦାବାଦ ରାସ୍ତାରେ ମଧ୍ୟ ଶ୍ରମିକମାନେ ଚାଲି ଚାଲି ଘରକୁ ବାହାରିଛନ୍ତି । ହରିୟାଣର ଚଣ୍ଡିଗଡରେ କାମ କରୁଥିବା ଅନ୍ୟରାଜ୍ୟର ଶ୍ରମିକମାନେ ମଧ୍ୟ ଘରକୁ ଫେରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେହିପରି ନାଗପୁରରେ କାମ କରିଥିବା ଶ୍ରମିକମାନେ କିଏ ଚାଲି ଚାଲି ତ ପୁଣି ମାଲପରିବହନ ଗାଡିରେ ମଧ୍ୟପ୍ରଦେଶକୁ ଫେରିଆସୁଛନ୍ତି ।

ଦିଲ୍ଲୀରୁ ଗତକାଲି ଚାଲିଚାଲି ବାହାରିଥିବା ଶ୍ରମିକମାନେ ସକାଳେ ମୋରାଦାବାଦରେ ପହଂଚିଥିଲେ । ସହର ସୀମାରେ ମୁତୟନଥିବା ଥିବା ପୁଲିସ ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇଦେଇଥିଲା । ସେପଟେ ଅମ୍ରିତସରରେ ଫସିଥିବା ବାହାର ରାଜ୍ୟର ଲୋକଙ୍କୁ ସ୍ୱତନ୍ତ୍ର ବସରେ ଘରକୁ ପଠାଇଛି ପଂଜାବ ସରକାର ।