ଦେଶରେ ପ୍ରଥମ କରୋନା ମୃତ୍ୟୁ: କର୍ଣ୍ଣାଟକରେ ୭୬ ବର୍ଷିୟ ବୃଦ୍ଧଙ୍କ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ; ଏପଟେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହେଲେ କରୋନା ସନ୍ଦିଗ୍ଧ

301

କନକ ବ୍ୟୁରୋ: ଦେଶରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣାଟକ କାଲବର୍ଗା ଅଂଚଳର ୭୬ ବର୍ଷିୟ ବୃଦ୍ଧ । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗର କମିଶନର ଏହା ସ୍ପଷ୍ଟ କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ନିକଟରେ ସାଉଦି ଆରବରୁ ଆସିବା ପରେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ବୃଦ୍ଧ ଜଣକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରାଯାଉଥିଲା । ତେବେ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ରିପୋର୍ଟ ଆସିବା ପରେ ୭୬ ବର୍ଷିୟ ବୃଦ୍ଧଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତେଲେଙ୍ଗାନାର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାରୁ ତେଲେଙ୍ଗାନା ସରକାର ଏହି ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ଏପଟେ ଗୁରୁବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଜଣେ କରୋନା ସଂଦିଗ୍ଧଙ୍କୁ ଭର୍ତି କରାଯାଇଛି । ସଂପୃକ୍ତ ବ୍ୟକ୍ତି ଜଣକ ନୟାଗଡ ଅଂଚଳର ଏବଂ ସେ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ସପ୍ତାହରେ ସେ ଗାଁକୁ ଫେରିଥିଲେ । ଫେରିବାର କିଛି ଦିନ ପରେ ତାଙ୍କୁ ଥଣ୍ଡାକାଶ ଲାଗି ରହିଥିଲା । ପ୍ରଥମେ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସଂଦୀଗ୍ଧ ବ୍ୟକ୍ତିଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି ଏବଂ ତାଙ୍କର ନମୂନା ପରୀକ୍ଷା ପାଇଁ ପଠା ଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁ ଏଚ ଓ କରୋନା ଭୂତାଣୁ ଜନିତ ସଂକ୍ରମଣକୁ ଦେଖି ଏହାକୁ ବିଶ୍ୱ ପାଇଁ ଚିନ୍ତା ଭାବେ ଦର୍ଶାଇବା ସହ ମହାମାରୀ ଭାବେ ଘୋଷଣା କରିଛି । ଚୀନରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭୂତାଣୁ ବିଶ୍ୱର ଶତାଧିକ ଦେଶକୁ ମାଡି ଗଲାଣି । ଏହି ତାଲିକାର ଆଗରେ ରହିଛି ଇଟାଲୀ ଓ ଇରାନ୍ । ସାରା ବିଶ୍ୱରେ ଏବେ ପ୍ରାୟ ୧ ଲକ୍ଷ ୨୬ ହଜାର ୧୦୦ ଜଣ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହା ସହ ଏହାରି ପ୍ରଭାବରେ ୪ ହଜାର ଜଣ ଲୋକ ପ୍ରାଣ ହରାଇ ସାରିଲେଣି । ଭାରତରେ ପ୍ରାୟ ୧୫ଶହ ଜଣ ବ୍ୟକ୍ତିଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ଏମାନଙ୍କ ଭିତରେ ୭୪ ଜଣଙ୍କ ଦେହରେ କରୋନା ଭୂତାଣୁ ଥିବା ଜଣାପଡିଛି । କେରଳରେ ସର୍ବାଧିକ ୧୭ ଜଣ ଭାରତୀୟଙ୍କ ଦେହରେ ଏହି ଭୂତାଣୁ ଥିବା ଜଣାପଡିଛି । ଅନ୍ୟପଟେ ହରିଆଣାରେ ସର୍ବାଧିକ ୧୪ ଜଣ ବିଦେଶୀଙ୍କ ନମୂନାରେ କରୋନା ଭାଇରସ ଥିବା ସ୍ପଷ୍ଟ କରାଯାଇଛି ।