କନକ ବ୍ୟୁରୋ: ରାଜ୍ୟରେ ତାଲାବନ୍ଦର ଆଜି ଦ୍ୱିତୀୟ ଦିନ । ଗତକାଲି ପରି ଆଜି ମଧ୍ୟ ଟୁଇନ ସିଟିରେ ଜାରି ରହିବ ତାଲାବନ୍ଦ । ଆସନ୍ତା ୨୯ ତାରିଖ ଯାଏଁ କଟକ, ଭୁବନେଶ୍ୱରରେ ଏହି କଟକଣା ଜାରି ରହିବ । ଟୁଇନସିଟିରେ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ଯାଏଁ ଏହି କଟକଣା ବଳବତର ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ଅର୍ଥାତ ଅତି ଜରୁରୀ ନଥିଲେ କେହି ବାହାରକୁ ବାହାରିବେ ନାହିଁ । ବୟସ୍କ ବ୍ୟକ୍ତିଙ୍କ ସମେତ ଯୁବଗୋଷ୍ଠୀ ମଧ୍ୟ ଘରେ ରହି ତାଲା ବନ୍ଦକୁ ସହଯୋଗ କରିବାକୁ ଅପିଲ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେହିପରି କରୋନା ଯୁଦ୍ଧ ସହ ସଂପୃକ୍ତି ପ୍ରଶାସନିକ କାର୍ଯ୍ୟାଳୟକୁ ଛାଡିଦେଲେ ଅନ୍ୟ ସମସ୍ତ ଅଫିସ ବନ୍ଦ ରହିବ । ଆଉ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିପି । କରୋନା ମୁକାବିଲା ପାଇଁ ଏପରି କଟକଣାକୁ ଲାଗୁ କରାଯାଇଛି ।
ଅନ୍ୟପଟେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଭିଡ଼ରୁ ଲୋକଙ୍କୁ ଦୂରେଇ ରଖିବା ସହ ସାମାଜିକ ଦୂରତା ରଖିବା ପାଇଁ ତତ୍ପର ହୋଇ ଉଠିଛନ୍ତି ସରକାର । ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରେଳସେବା ବନ୍ଦ କରି ଦିଆଯାଇଛି । ସମସ୍ତ ସୁପରଫାଷ୍ଟ, ଏକ୍ସପ୍ରେସ୍, ଇଂଟରସିଟି ଓ ପାସେଂଜର ଟ୍ରେନ୍କୁ ବାତିଲ କରାଯାଇଛି । ପ୍ରଥମ ଥର ପାଇଁ ରେଳବାଇ ଇତିହାସରେ ଏଭଳି ବନ୍ଦ ଘୋଷଣା ହୋଇଛି । ଫଳରେ ୧୦ ଦିନ ଧରି ଗଡିବନି ୨୦ ହଜାରରୁ ଅଧିକ ପାସେଞ୍ଜର ଟ୍ରେନ୍ ।
ସମସ୍ତ ଦୂରଗାମୀ ମେଲ, ଏକ୍ସପ୍ରେସ୍ ଟ୍ରେନ୍, ଇଂଟରସିଟି ଏକ୍ସପ୍ରେସ୍ ଓ ସମସ୍ତ ଲୋକାଲ୍ ଟ୍ରେନ୍ଗୁଡିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏପଟେ ବନ୍ଦ ହୋଇଛି ଆନ୍ତଃରାଜ୍ୟ ବସ୍ ସେବା । ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟ ରାଜ୍ୟ ଭିତରେ ବସ ଚଳାଚଳକୁ ବାତିଲ କରାଯାଇଛି । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବ କରୋନା ସ୍ଥିତିର ସମୀକ୍ଷା କରିବା ପରେ ଅତି ଆବଶ୍ୟକ ନଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଫଳରେ ୩୧ ମାର୍ଚ୍ଚ ଯାଏଁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଗଡିବନି ଯାତ୍ରୀବାହୀ ବସ ।