ସୋସିଆଲ୍ ମିଡିଆରେ ଉଡିଲା ଗୁଜବ : ଡେଟଲ୍ ଲିକ୍ୱିଡ୍ ବ୍ୟବହାର କଲେ ଆକ୍ରାନ୍ତ କରିବନି କରୋନା ଭାଇରସ୍ ! କମ୍ପାନୀ ଦେଲା ଉତ୍ତର । 

354

ଚୀନରେ ଭୟଙ୍କର ରୁପ ଧାରଣ କଲାଣି କରୋନା ଭାଇରସ । ଏହି ଭୟାବହ ଭୂତାଣୁ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୬୦ ରେ ପହଞ୍ଚିଛି । ପ୍ରାୟ ୧ ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗ ଜନକ ରହିଛି । ୧୪ ହଜାର ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାରେ ରଖାଯାଇଛି । ବିଶ୍ୱବ୍ୟାପୀ ୧୮ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଡାକ୍ତର ତଥା ବିଶେଷଜ୍ଞ ଏହି ରୋଗର ନିରାକରଣ କିଭଳି ହୋଇପାରିବ ସେଥିପାଇଁ ଲାଗିପଡିଛନ୍ତି । ଏହାରି ମଧ୍ୟରେ ଏକ ଗୁଜବ ବ୍ୟାପୁଥିବା ମଧ୍ୟ ଦେଖିବାକୁ ମିଳିଛି । ଡେଟଲ ସ୍ପ୍ରେ ଦ୍ୱାରା ଭୂତାଣୁକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଗୁଜବ ଉଡୁଛି । ହାତ ଧୋଇବା ଓ କ୍ଷତ ସଫା କରିବା ଲାଗି ସାଧାରଣରେ ବ୍ୟବହୃତ ହେଉଥିବା ଡେଟଲ ସ୍ପ୍ରେ ସିଞ୍ଚନ କଲେ ଭୂତାଣୁ ନିୟନ୍ତ୍ରିତ ହୋଇପାରିବ ବୋଲି ପ୍ରଚାରିତ ହେଉଛି । 

ଯାହାକୁ ନେଇ ୱାର୍କସାୟରସ୍ଥିତ ଡେଟଲ କମ୍ପାନୀ ପକ୍ଷରୁ ଏକ ବୟାନ୍ ଜାରି କରାଯାଇଛି । ସେଥିରେ କୁହାଯାଇଛି , ଆମ କମ୍ପାନୀ ପକ୍ଷରୁ ଲୋକଙ୍କୁ ଏପରି ପରାମର୍ଶ ଦେଇ ପାରିବୁନି ଯେଉଁଥିରେ ଏହି ଲିକ୍ୱିଡ ସ୍ପ୍ରେ କରିବା ଦ୍ୱାରା କରୋନା ଭାଇରସକୁ ନିୟନ୍ତ୍ରଣ କରାଯାଇପାରିବ । କାରଣ ଆମେ ଏପର୍ଯ୍ୟନ୍ତ ଏଭଳି କୌଣସି କାରଣ ଖୋଜି ପାଇନୁ । ତେଣୁ ଡେଟଲ୍ ଭରସାରେ ଲୋକଙ୍କୁ ନ ରହିବାକୁ ପରାମର୍ଶ ଦିଆଯାଇଛି । ଗୁଜବକୁ ରୋକିବା ପାଇଁ ଶେଷରେ ଡେଟଲ କମ୍ପାନୀ ପକ୍ଷରୁ ସ୍ପଷ୍ଟିକରଣ ଦେବାକୁ ପଡିଛି ।

କେବଳ ସେତିକି ନୁହେଁ କରୋନା ଭାଇରସରେ ପ୍ରଭାବିତ ସହରରେ ଲୋକେ ଭୟଭୀତ ହୋଇପଡିଛନ୍ତି । ନିଜ ଘରେ ପୋଷା କୁକୁର ,ବିଲେଇକୁ ମାରି ରାସ୍ତାରେ ଫୋପାଡିବାରେ ଲାଗିଛନ୍ତି । ଲୋକଙ୍କ ଦାବି ହେଉଛି କି,  ପଶୁମାନଙ୍କ ଠାରୁ ମଧ୍ୟ କରୋନା ଭାଇରସ ବ୍ୟାପୁଛି । ସେହିପରି ସଂଘାଇ ସହରରେ ୫ ଟି ବିଲେଇର ମୃତ ଦେହ ଉଦ୍ଧାର ହୋଇଛି ।