ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭୂତାଣୁ । ଚୀନ୍ ପରେ ଇଟାଲି ଓ ଇରାନରେ ସ୍ଥିତି ଅଣାୟତ, ଭାରତରେ ୮୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜଣଙ୍କର ମୃତ୍ୟୁ ।

414

କନକ ବ୍ୟୁରୋ : କରୋନା ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଛି । କାରଣ ୧୧୫ରୁ ଅଧିକ ଦେଶକୁ ମାଡି ଯାଇଛି କରୋନା ଭୂତାଣୁ । ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହେଲେ କରୋନା ଆରମ୍ଭ ହୋଇଥିବା ଚୀନରେ ଏବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା କମିଛି । ଇଟାଲି ଓ ଇରାନରେ କିନ୍ତୁ ସ୍ଥିତି ଉଦବେଗଜନକ ହୋଇପଡିଛି ।

ଭୟ ଖେଳାଇଲା କରୋନା ଭୂତାଣୁ । ବିଶ୍ୱରେ ୧୧୫ ଦେଶରେ ଆତଙ୍କ । ସାରା ବିଶ୍ୱକୁ କବଳିତ କରିଛି କରୋନା ଆତଙ୍କ । ଚୀନର ଉହାନରୁ ବାହାରି ବିଶ୍ୱର ୧୧୫ ଦେଶରେ ପାଦ ଦେଇସାରିଛି କରୋନା ଭୂତାଣୁ ।

  • ବିଶ୍ୱରେ ମୋଟ ୧ ଲକ୍ଷ ୩୪ ହଜାରରୁ ଅଧିକ କରୋନା ସଂକ୍ରମିତ
  • ୪ ହଜାର ୯୦୦ରୁ ଅଧିକ ଜୀବନ ନେଲାଣି କରୋନା
  • କରୋନାକୁ ମହାମାରୀ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

୨୦୧୯ ଡିସେମ୍ବରରେ ଚୀନର ଉହାନରୁ ଆରମ୍ଭ ହୋଇଥିଲା କରୋନା ଭୂତାଣୁ । ଚୀନରେ ଏହା ମହାମାରୀ ରୂପ ନେବା ପରେ ବ୍ୟପିଛି ଅନ୍ୟଦେଶକୁ । ଏହାମଧ୍ୟରେ ଚୀନରେ ସର୍ବାଧିକ ୮୦ ହଜାର ୮୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୧୮୫ ଛୁଇଁଲାଣିି । ଚୀନ ପରେ କରୋନା ଭୂତାଣୁରେ ସର୍ବାଧିକ ପ୍ରଭାବିତ ହୋଇଛି ଇଟାଲୀ ଓ ଇରାନ । ଇଟାଲିରେ ୧୫ ହଜାର ୧୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ନେଇଛି ୧ ହଜାର ୧୬ ଜଣଙ୍କ ଜୀବନ ।

ସେପଟେ ଇରାନରେ ମଧ୍ୟ ସ୍ଥିତି ସାଂଘାତିକ । ୧୦ ହଜାର ୭୫ ଆକ୍ରାନ୍ତଙ୍କ ଚିକିତ୍ସା ସ୍ୱତନ୍ତ୍ର ୱାର୍ଡରେ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୯୨କୁ ଛୁଇଁଛି । ତେବେ ବ୍ୟାପକ ସଚେତନତା ଓ ସତର୍କତା ଉପରେ ଗୁରୁତ୍ୱ ଦେଇ ତଥା ପ୍ରଭାବିତ ଅଂଚଳକୁ ଅନ୍ୟ ଅଂଚଳ ସହ ବିଚ୍ଛିନ୍ନ କରି ଏବେ ଚୀନ କରୋନାକୁ କାବୁ କରିପାରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।