୫୦ରେ ପହଞ୍ଚିଲା ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ବାୟୁସେନା ବିମାନରେ ସ୍ୱଦେଶ ବାହୁଡିଲେ ଇରାନରେ ଥିବା ୫୮ଭାରତୀୟ

ଗାଜିଆବଦାର ହିଣ୍ଡୋନ ଏୟାରବେସରେ କଲେ ଅବତରଣ । ସମସ୍ତଙ୍କର ହେବ ସ୍କ୍ରିନିଂ ଟେଷ୍ଟ

502

କନକ ବ୍ୟୁରୋ: କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୫୦ରେ । ଆଜି ସକାଳୁ ଆଉ ଦୁଇଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କଠାରେ କରୋନା ଭୂତାଣୁ ପଜିଟିଭ୍ ରହିଛି । ସେପଟେ କେରଳରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ଏକ ୩ ବର୍ଷ ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ନିକଟରେ ଇଟାଲୀରୁ ଫେରିଥିବା ଏହି ଶିଶୁର ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିିକିତ୍ସା କରାଯାଉଛି ।

ଭାରତରେ ଥିବା ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଶେଷ ଖବର ସୁଦ୍ଧା କେରଳରେ ୬ ଜଣ, ତାମିଲନାଡୁରେ ୨, ଆଗ୍ରାରେ ୬ ଜଣ, ଦିଲ୍ଲୀରେ ୩ ଜଣ , ନୋଏଡା, ଗାଜିଆବାଦ ଓ ତେଲେଙ୍ଗାନା ସମେତ ଜମ୍ମୁ କାଶ୍ମୀରରେ ଗୋଟିଏ କରୋନା ରୋଗୀଙ୍କ ଚିକିତ୍ସା କରୋନା ଆଇସୋଲେସନ ୱାର୍ଡରେ ଚାଲିଛି । ଯେଉଁମାନେ ୬ ସପ୍ତାହ ଭିତରେ ବିଦେଶରୁ ଆସିଥିବେ ସେମାନେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ, ଇରାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ୫୮ ଭାରତୀୟଙ୍କୁ ବାୟୁସେନା ବିମାନରେ ଭାରତ ଅଣାଯାଇଛି । ଗାଜିଆବାଦର ହିଣ୍ଡୋନ ଏୟାର ବେସରେ ବିମାନଟି ଅବତରଣ କରିଛି । ଭାରତୀୟଙ୍କୁ ଆଣିବା ପାଇଁ ବାୟୁସେନାର ପରିବହନକାରୀ ବିମାନ ସି-୧୭ ଗ୍ଲୋବମାଷ୍ଟର ସୋମବାର ଇରାନ ଅଭିମୁଖେ ଯାତ୍ରା କରିଥିଲା । ଇରାନରୁ ଫେରିଥିବା ସମସ୍ତ ଭାରତୀୟଙ୍କୁ ସ୍କ୍ରିନିଂ କରାଯିବା ପରେ ଛଡାଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି ।