ଭାରତରେ ୪ ହଜାର ୪୨୧ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ଲୋକଙ୍କର ବୟସ ୬୦ ବର୍ଷରୁ ଅଧିକ; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା

ସୁସ୍ଥ ହୋଇ ଫେରିଲେଣି ୩୨୬ ଜଣ

796

କନକ ବ୍ୟୁରୋ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୪୨୧ରେ ପହଂଚିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସୂଚନା ଅନୁସାରେ, ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୪୨୧କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ଏମାନଙ୍କ ମଧ୍ୟରୁ ପ୍ରାୟ ୧ ହଜାର ୪ ଶହ ୪୫ଟି ସଂକ୍ରମଣ ତାବଲିଘି ଜମାତ୍ ସହିତ ଜଡିତ ବୋଲି ଜଣାପଡିଛି । ୭୪୮ ସହିତ ସଂକ୍ରମଣ ତାଲିକାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ଏହା ପଛକୁ ତାମିଲନାଡୁ ୬୨୧ . ଦିଲ୍ଲୀରେ ୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାରେ ୩୨୧, ଉତରପ୍ରଦେଶରେ ୩୦୫ , କେରଳରେ ୩୨୭, ଆନ୍ଧ୍ରପ୍ରଦେଶରେ ୨୬୬, ରାଜସ୍ଥାନରେ ୨୮୮, ମଧ୍ୟପ୍ରଦେଶରେ ୧୬୫ ଜଣ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ସେପଟେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିଛି । ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷ ୪୭ ହଜାର ୮୦୩ ଜଣ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି । ସବୁଠାରୁ ଅଧିକ ୩ ଲକ୍ଷ ୩୭ ହଜାରରୁ ଅଧିକ ଆକ୍ରାନ୍ତ ଠାବ ହୋଇଛନ୍ତି ଆମେରିକାରେ । ଏହା ପଛକୁ ଫ୍ରାନ୍ସରେ ୧ ଲକ୍ଷ ୩ ହଜାର, ଇଟାଲିରେ ୧ ଲକ୍ଷ ୨୮ ହଜାର ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୭୪ ହଜାର ୮୦୭କୁ ବୃଦ୍ଧି ହୋଇଛି । କେବଳ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି । ୨ ଲକ୍ଷ ୭୫ ହଜାର ୮୭ ଜଣ କରୋନାରୁ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ।